ବିହାର ନଦୀରୁ ମିଳିଲା ଆମାଜନ ମାଛ

ନୂଆଦିଲ୍ଳୀ ୨୩।୦୯: ବିହାରର  ବଗହାଠାରେ ମାଛ  ଧରିବା ସମୟରେ  ଧୀବରଙ୍କ ଜାଲରେ  ଏକ ଅଜବ ଧରଣର  ମାଛ ଫସିଛି । ଏହାକୁ  ଦେଖିବା ଲାଗି  ସେଠାରେ ଲୋକଙ୍କ  ଭିଡ଼ ଜମିଛି।  ବଗହା-୧ ଉପଖଣ୍ଡର  ବନଚହରୀ ଗାଁ  ନିକଟରେ ହରହା  ନଦୀରେ ମାଛ ଧରିବା ସମୟରେ ଜଣେ ଧୀବର ଏହି  ମାଛକୁ ଜାଲରେ ପଡ଼ିଥିବା ଦେଖିବାକୁ ପାଇଲେ। ଚାହୁଁ  ଚାହୁଁ ସ୍ଥାନୀୟ ଅଞ୍ଚଳରେ ଖବରଟି ଖେଳିଗଲା। ମାଛଟି  ଏବେ ଲୋକଙ୍କ ମଧ୍ୟରେ କୌତୁହଳର ବିଷୟ ହୋଇଛି। ଏହାର ୪ଟି ଆଖି ରହିଛି । ରଙ୍ଗ ଓ ଗଠନ ସାଧାରଣ  ମାଛଠୁ ସମ୍ପୂର୍ଣ୍ଣ ଭିନ୍ନ। ଏ ପ୍ରଜାତିର ମାଛ ଆମାଜନ୍‌ ନଦୀରେ ବିଚରଣ କରନ୍ତି  ବୋଲି ବାଲ୍ମିକୀ ଟାଇଗର ରିଜର୍ଭରେ ଅବସ୍ଥାପିତ କେ ବାଙ୍କେଲାଲ ପ୍ରଜାପତି ଓ  କମଲେଶ ମୌର୍ଯ୍ୟ କହିଛନ୍ତି । ଏହି ଅଜବ ମାଛ ଆମାଜନ୍‌ ସ୍ମଲ୍‌  ଏକ୍‌ଜୋଟିକ୍‌ କ୍ୟାଟ୍‌ ଫିସ୍‌ ନାମରେ  ପରିଚିତ । ଏହା ଆର୍ମୋରେଡ୍‌ କ୍ୟାଟ୍‌ଫିଶ୍‌  ପ୍ରଜାତିର । ଆମ ନଦୀରେ ଏହା ମିଳିବା  ଚିନ୍ତାର ବିଷୟ । ଏ ବିଷୟରେ ବାଙ୍କେଲାଲ  କହିଛନ୍ତି, ଲୋକେ ଏହି ମାଛକୁ  ଆକ୍ୱାରିୟମ୍‌ରେ ପାଳନ୍ତି । କାଚରେ  ଜମିଥିବା  ଶିଉଳି ଓ  ମାଛଙ୍କର  ଅଳିଆକୁ ଏହା ସଫା କରେ। ଏହା ପୂର୍ବରୁ ଏ ପ୍ରକାର ମାଛ  ଉତ୍ତରପ୍ରଦେଶର ବନାରସ ଓ ବିହାରର  କହଲଗାଁଓରେ ଦେଖିବାକୁ ମିଳିଥିଲା ।  କମଲେଶ କହିଛନ୍ତି, ଏଠାରୁ ୧୫ ହଜାର  କିମି ଦୂର ଆମାଜନ୍‌ରେ ରହୁଥିବା ଏହି ମାଛ ଛୋଟ  ନଦୀରେ ମିଳିବା ଗବେଷଣାର ବିଷୟ ।

Leave A Reply

Your email address will not be published.