ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ

ବ୍ରହ୍ମପୁର ୨୪/୦୯: ଶୁକ୍ରବାର ଅପରାହ୍ଣରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ (ଭଞ୍ଜବିହାର) ସମେତ ନିକଟବର୍ତ୍ତୀ ଅନ୍ତରବାଟିଆ ଅଞ୍ଚଳରେ ବାଘ ବୁଲୁଥିବା ଖବର ଖେଳିଯାଇଥିଲା । ଏ ନେଇ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ଅଞ୍ଚଳବାସୀ ଓ ପାଖ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଅନ୍ତରବାଟିଆ ଗାଁରେ ରହୁଥିବା ସୁନିଲ ଦାସ ନିଜ ଘର ପଛପଟକୁ ହାତ ଧୋଇବା ପାଇଁ ଯାଇଥିବା ବେଳେ ଅଳ୍ପ ଦୂର ଜଙ୍ଗଲିଆ ଲଟା ବୁଦାରେ ବାଘ ଆକୃତିର ଜୀବକୁ ଦେଖି ଡରିଯାଇ ଦୌଡ଼ି ପଳାଇ ଆସିଥିଲେ । ଅନ୍ୟମାନଙ୍କୁ ସେ ଏ ସମ୍ପର୍କରେ ଜଣାଇବା ପରେ ଆଉ କିଛି ଲୋକ ମଧ୍ୟ ମେଳି ବାନ୍ଧି ଉକ୍ତ ଲଟାବୁଦା ଆଡ଼କୁ ଯିବା ସମୟରେ ତାହା ଭଞ୍ଜବିହାର ଆଡ଼କୁ ଚାଲି ଯାଇଥିଲା । ତୁରନ୍ତ ଗ୍ରାମବାସୀ କ୍ୟାମ୍ପସ୍‌ ସୁପର୍‌ଭାଇଜର ଡ. ମିହିର ତ୍ରିପାଠୀଙ୍କୁ ଅବଗତ କରାଇଥିଲେ । ଘଟଣା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କ୍ୟାମ୍ପସ୍‌ରେ ରହୁଥିବା କର୍ମଚାରୀମାନଙ୍କୁ ଅବଗତ କରାଇବା ସହ ରାତିରେ ଚଳପ୍ରଚଳ ବେଳେ ସାବଧାନତା ଅବଲମ୍ୱନ କରିବାକୁ ସତର୍କ କରାଇ ଦିଆଯାଇଛି । ଘଟଣା ନେଇ ଗ୍ରାମବାସୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ ନାୟକଙ୍କୁ ଅବଗତ କରାଯାଇଥିଲା । ଡିଏଫ୍‌ଓଙ୍କ ପକ୍ଷରୁ ବନ ବିଭାଗ କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଯିବା ସହ ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖାଯାଇଛି । ଡିଏଫ୍‌ଓ ନାୟକଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଏହି ଅଞ୍ଚଳରେ ମହାବାଳ ବାଘ ନଥିବା ବେଳେ ହେଟା ବାଘ କିମ୍ୱା ଅନ୍ୟ କୌଣସି ପ୍ରଜାତିର ବନ୍ୟଜନ୍ତୁ ବୁଲୁଥାଇପାରେ । ଶୁକ୍ରବାର ରାତିରେ ବନ ବିଭାଗ ପକ୍ଷରୁ ଏକ ଟିମ୍‌ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସର ଓ ଆଖପାଖ ଜଙ୍ଗଲିଆ ଇଲାକାରେ ପାଟ୍ରୋଲିଂ କରିବା ସହ ଘଟଣା ଉପରେ ତୀକ୍ଷଣ ନଜର ରଖାଯିବ । କୌଣସି ବନ୍ୟଜନ୍ତୁ ଦେଖାଗଲେ ଏ ବାବଦରେ ସ୍ପଷ୍ଟ ଜଣାପଡ଼ିପାରେ ବୋଲି ଡିଏଫ୍‌ଓ କହିଛନ୍ତି ।

Leave A Reply

Your email address will not be published.