ପ୍ରାଇଭେଟ୍ ଜେଟ୍ ବିକିଲେ ବିଶ୍ୱର ୨ୟ ଧନୀ

ନୂଆଦିଲ୍ଳୀ,୨୦/୧୦: ନିଜର ପ୍ରାଇଭେଟ୍ ଜେଟ୍ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ବର୍ଣ୍ଣାଡ ଅରନଲ୍ଟ । ବିଶ୍ବର ସବୁଠୁ ବଡ଼ ଲକ୍ଜରୀ ଗୁଡ୍ସ କମ୍ପାନୀର ମାଲିକ ବର୍ଣ୍ଣାଡ ଅରନଲ୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ଅରନଲ୍ଟଙ୍କ କମ୍ପାନୀର ପ୍ଳେନ୍‌ ଉପରେ ନଜର ରଖିବାକୁ ତିଆାରି କରାଯାଇଥିବା ଏକାଧିକ ଟ୍ବିଟର ଆକାଉଣ୍ଟ ସାମ୍ନାକୁ ଆସିବା ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଏହାଦ୍ବାରା ଅରନଲ୍ଟଙ୍କ ଗତିବିଧିର ତଥ୍ୟ ଲିକ୍ ହେଉଥିଲା।  ଏହି ଆକାଉଣ୍ଟର ଉଦ୍ଦେଶ୍ୟ ବର୍ଣ୍ଣାଡ ବିମାନ ଦ୍ବାରା ହେଉଥିବା ପ୍ରଦୂଷଣକୁ ସାମ୍ନାକୁ ଆଣିବା ଥିଲା। ଗତ କିଛି ମାସ ହେଲା ଫ୍ରେଞ୍ଚ ସଂସଦରେ, ଧନୀ ବ୍ୟକ୍ତି ବ୍ୟବହାର କରୁଥିବା ପ୍ରାଇଭେଟ୍ ଜେଟ୍ ଦ୍ବାରା ହେଉଥିବା ପ୍ରଦୂଷଣ ଉପରେ ଚର୍ଚ୍ଚା ହୋଇଆସୁଛି। ଅନେକ ନେତା ବ୍ୟକ୍ତିଗତ ବିମାନ ଚଳାଚଳ ନକରିବା ପାଇଁ ଦାବି ମଧ୍ୟ କରିଥିଲେ। ଏହା ମଧ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଉଛି। ବ୍ୟକ୍ତିଗତ ବିମାନ ବିକ୍ରି କରିବାକୁ ନେଇ ଅରନଲ୍ଟ କହିଛନ୍ତି ଯେ, ’ ଏହା ଦ୍ବାରା ମୁଁ କେଉଁଆଡେ ଯାଉଛି ତାହା କେହିବି ଟ୍ରାକ୍ କରିପାରି​ବେ ନାହିଁ’ । ଘଟଣାକୁ ନେଇ ତାଙ୍କ ପୁଅ ଆଣ୍ଟୋନିଓ ଅରନଲ୍ଟ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଆମର ବ୍ୟବସାୟିକ ପ୍ରତିଦ୍ବନ୍ଦୀମାନେ ଲଗାତାର ଭାବରେ ଆମ ଉପରେ ନଜର ରଖୁଛନ୍ତି। ସାମଜିକ ଗଣମାଧ୍ୟମରେ ବଦନାମ୍ କରିବା ପାଇଁ ପ୍ରୟାସ କରାଯାଉଛି। ତେଣୁ ଗତିବିଧି  ଉପରେ କେହି ଯେପରି ନଜର ନରଖିପାରନ୍ତି ତାହାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.