ଶନିବାର ଇଂଲଣ୍ଡ ଓ ଶ୍ରୀଲଙ୍କା ମୁକାବିଲା

ସିଡନୀ ୦୫।୧୧ : ଗ୍ରୁପ୍‌-୧ର ଶେଷ ସୁପର-୧୨ ରାଉଣ୍ଡ ମ୍ୟାଚ୍‌ରେ ଶନିବାର ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସ୍ଥିତି ରହିଛି । ସେମିରେ ପ୍ରବେଶ କରିବାକୁ ହେଲେ ଦଳକୁ ଏହି ମ୍ୟାଚ୍‌ ଜିତିବା ଅତି ଜରୁରି । ପରାଜିତ ହେଲେ ଇଂଲଣ୍ଡର ଅଭିଯାନ ଶେଷ ହେବ । ଅନ୍ୟ ପକ୍ଷରେ ସେମି ଦୌଡ଼ରୁ ବାଦ ପଡ଼ି ସାରିଥିବା ଶ୍ରୀଲଙ୍କା ଇଂଲଣ୍ଡ ପାଇଁ ଖଳନାୟକ ସାଜିପାରେ । ଯଦି ଦଳ ଇଂଲଣ୍ଡକୁ ପରାଜିତ କରେ ତେବେ ଉଭୟଙ୍କର ଏହିଠାରେ ବିଶ୍ୱକପ୍‌ ଅଭିଯାନ ଶେଷ ହେବ ଏବଂ ଅଷ୍ଟ୍ରେଲିଆ ସେମି ଫାଇନାଲକୁ ଉନ୍ନୀତ ହେବ । ଇଂଲଣ୍ଡ ଓ ଶ୍ରୀଲଙ୍କା ନିଜ ନିଜର ପୂର୍ବ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ । ଇଂଲଣ୍ଡ ୨୦ରନ୍‌ରେ ନ୍ୟୁଜିଲାଣ୍ଡକୁ ଏବଂ ଶ୍ରୀଲଙ୍କା ୬ ୱିକେଟରେ ଆଫଗାନିସ୍ତାନକୁ ହରାଇଥିଲା । ତେଣୁ ଶନିବାର ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ। ସିଡନୀରେ ପାଗ ଶୁଖିଲା ରହିବ । ଫଳରେ ଦର୍ଶକଙ୍କୁ ପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । ପୂର୍ବରୁ ସିଡନୀରେ ୨ଟି ମ୍ୟାଚ୍‌ ଖେଳାଯାଇଥିଲା । ତେଣୁ ପିଚ୍‌ ସ୍ପିନରଙ୍କୁ ସୁହାଇବ । ଶ୍ରୀଲଙ୍କାର ଦୁଇ ସ୍ପିନର ୱାନିଣ୍ଡୁ ହସରଙ୍ଗା ଏବଂ ମହେଶ ତୀକ୍ଷଣା ଇଂଲଣ୍ଡ ପାଇଁ ଘାତକ ସାଜି ପାରନ୍ତି । ଶ୍ରୀଲଙ୍କାକୁ ହରାଇବାକୁ ହେଲେ ଇଂଲଣ୍ଡ ବ୍ୟାଟରଙ୍କୁ ହସରଙ୍ଗା ଏବଂ ତୀକ୍ଷଣାଙ୍କ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ କ୍ରମାନ୍ୱୟରେ ୭ଟି ମ୍ୟାଚ୍‌ ଜିତି ଅପରାଜେୟ ରହିଛି । ଆସନ୍ତାକାଲି ଦଳ ବିଜୟ ଜାରି ରଖି ସେମିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.