ଭୁଶୁଡ଼ିଲା ୟୁକ୍ରେନ୍‌ର ପାୱାର ଗ୍ରୀଡ୍‌, ବିଦ୍ୟୁତ ଓ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍: ୪୫ ଲକ୍ଷ ଲୋକ ବିଜୁଳିରୁ ବଞ୍ଚିତ

କିଏଭ୍‌ ,୦୮/୧୧: ଋଷ୍‌ ସେନା ବାରମ୍ବାର ଭିତ୍ତିଭୂମି ବ୍ୟବସ୍ଥା ଗୁଡ଼ିକୁ ଆକ୍ରମଣ କରିବାରୁ ୟୁକ୍ରେନ୍‌ର ପାୱାର ଗ୍ରୀଡ୍‌ ଭୁଶୁଡ଼ି ପଡ଼ିଛି । ଏହାଯୋଗୁ ଦେଶର ପ୍ରାୟ ୪୫ ଲକ୍ଷ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି । ସ୍ଥିତିରେ ସ୍ୱାଭାବିକତା ଫେରାଇ ଆଣିବାକୁ ୟୁକ୍ରେନ୍‌ ଯେତେ ଚେଷ୍ଟା କରୁଛି ପୁଟିନ୍‌ ସେନା ପୁଣି ମିସାଇଲ୍‌ ହମ୍‌ଲା କରି ସବୁ ବିଗାଡ଼ି ଦେଉଛି । ବାରମ୍ବାର ଆକ୍ରମଣ ଯୋଗୁ ଖେର୍‌ସୋନ୍‌ରେ ବିଦ୍ୟୁତ୍‌ ଭିତ୍ତିଭୂମି ବରବାଦ ହୋଇଯାଇଛି । ଏହାଯୋଗୁ ଏଠାକାର ଲୋକମାନେ ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍‌ର ସମ୍ମୁଖୀନ ହେଉଛନ୍ତି । ଖେର୍‌ସୋନ୍‌ ପରେ ରାଜଧାନୀ କିଏଭ୍‌ ସ୍ଥିତି ମଧ୍ୟ ଖରାପ ହୋଇଛି । ଋଷ୍‌ ସେନା ଏଠାକାର ବିଦ୍ୟୁତ୍‌ ଭିତ୍ତିଭୂମି ଉପରେ ବାରମ୍ବାର ଟାର୍ଗେଟ୍‌ କରିବାରୁ ବିଜୁଳି ସେବା ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି । ଏହାଯୋଗୁ ଜଳଯୋଗାଣ ଠପ୍‌ ହୋଇଯାଇଛି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସରକାର କିଏଭ୍‌କୁ ଖାଲି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ରାଜଧାନୀର ମେୟର ଭିଟାଲି କ୍ଲିସ୍‌କୋ କହିଛନ୍ତି, ସହରର ଲୋକମାନେ ସେମାନଙ୍କ ଘର ଛାଡ଼ିବାକୁ ପ୍ରସ୍ତୁତ ରହିବା ଉଚିତ । ଯେ କୌଣସି ମୁହୂର୍ତ୍ତରେ ସେମାନଙ୍କୁ ସହର ଖାଲି କରିବାକୁ ପଡ଼ିପାରେ । ରାଜଧାନୀ କିଏଭ୍‌ର ଅନେକ ଅଞ୍ଚଳକୁ ବିଜୁଳି ଯୋଗାଣ ବନ୍ଦ ରହିଛି । ଲକ୍ଷ ଲକ୍ଷ ଲୋକ ଏହି ସେବାରୁ ବଞ୍ଚି ହେଉଛନ୍ତି । ଜଳଯୋଗାଣ ବି ପ୍ରଭାବିତ ହୋଇଛି । ମରାମତି କାମ ପାଇଁ ମଧ୍ୟ ବିଜୁଳି କାଟିବାକୁ ପଡୁଛି । ଏଭଳି ସ୍ଥିତି ଲାଗିରହିଲେ, ଅଧିକ ଦିନ ଧରି ସରକାର ଏହାର ମୁକାବିଲା କରିପାରିବେ ନାହିଁ । ବାରମ୍ବାର ଭିତ୍ତିଭୂମି ବ୍ୟବସ୍ଥାକୁ ସଜାଡ଼ିବା ଆଉ ସମ୍ଭବପର ହେବନାହିଁ । ତେଣୁ ଲୋକମାନେ ସହର ଛାଡ଼ିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ।

Leave A Reply

Your email address will not be published.