ଲାଞ୍ଚ ନେବା ବେଳେ ପୁଲିସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ବୌଦ୍ଧ: ଲାଞ୍ଚ ନେବା ବେଳେ ପୁଲିସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ଏହି ପୁଲିସ ବାବୁ ଜଣକ ବୌଦ୍ଧ ଜିଲ୍ଲା ଜହ୍ନପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ। ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ କରି ଅଧ‌ିକ ଖୋଳତାଡ଼ ଆରମ୍ଭ କରିଛି। ଏକ ମାମଲାର ତଦନ୍ତ କରିବାକୁ ସେ ଜଣେ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସୂଚନା ଅନୁଯାୟୀ, ବୌଦ୍ଧ ନୂଆସାହି ସ୍ଥିତ ବୈଜୟନ୍ତ ଅଗ୍ରୋ ମେଶିନରୀରେ କାର୍ଯ୍ୟ କରୁଥିବା ଜଣେ କଲେକ୍ସନ ଏଜେଣ୍ଟ କିଛି ଦିନ ତଳେ ୩ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିଲେ। ଏ ନେଇ ବ୍ୟବସାୟୀ ସୁଶ୍ବର ଖୁଣ୍ଟିଆ ବୌଦ୍ଧ କୋର୍ଟରେ କେସ କରିଥିଲେ। କୋର୍ଟ ବୌଦ୍ଧ ଆଦର୍ଶ ଥାନାକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ତଦନ୍ତ ଭାର ASI ମଦନ ମୋହନ ପ୍ରଧାନଙ୍କୁ ଦେଇଥିଲେ। ପୁଲିସର ତଦନ୍ତ ଶୀଥୁଳତା ଦେଖୁ ସଂପୃକ୍ତ ବ୍ୟବସାୟୀ ଚିନ୍ତାରେ ପଡ଼ିଥିଲେ। ଏତିକି ବେଳେ ୧୫ ହଜାର ଟଙ୍କା ଦେଲେ କେସର ସଠିକ୍ ତଦନ୍ତ କରିବେ ନହେଲେ କେସକୁ ଚାପି ଦେବେ ବୋଲି ସମ୍ପୃକ୍ତ ବ୍ୟବସାୟୀଙ୍କୁ କହିଥିଲେ ଦାୟିତ୍ଵ ପାଇଥିବା ଏଏସ୍‌ଆଇ । ଏ ନେଇ ବ୍ୟବସାୟୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରି ଲାଞ୍ଚୁଆ ଅଧିକାରୀଙ୍କୁ ଧରିବାକୁ ନିବେଦନ କରିଥିଲେ। ଆଜି ଅପରାହ୍ନରେ ସଂପୃକ୍ତ ପୁଲିସ୍ ଅଧିକାରୀ ଜଣକ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ପରେ ତତ୍‌କ୍ଷଣାତ୍‌ ଭିଜିଲାନ୍ସ ଚଢ଼ାଇ କରିଥିଲା। ତଲାସୀ ବେଳେ ଏହି ପୁଲିସ ବାବୁଙ୍କ ନିକଟରୁ ଲାଞ୍ଚ ନେଇଥିବା ଟଙ୍କା ଜବତ କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଛି। ସେପଟେ ଏହି ପୁଲିସ ଅଧିକାରୀ ରହୁଥ‌ିବା ବ୍ରହ୍ମପୁର, ଫୁଲବାଣୀର ଘର ଓ ଭଡ଼ାଘର ଠିକଣାରେ ଚଢ଼ାଉ କରାଯାଇଛି। ତଦନ୍ତ ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବୌଦ୍ଧ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.