ବନ କର୍ମଚାରୀଙ୍କୁ ମାଡ଼ ମାରିଲେ, ଅଟକ ରଖିଲେ ଗାଁଲୋକେ

କରଞ୍ଜିଆ ୨୯।୧୧ : ରେଞ୍ଜ ଅଧିକାରୀ ଓ ବନ କର୍ମଚାରୀଙ୍କୁ ମାଡ଼ ମାରିଲେ, ଅଟକ ରଖିଲେ ଗାଁ ଲୋକ। ମୟୂରଭଞ୍ଜ ଜିଲ୍ଲା କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଓ ବନ କର୍ମଚାରୀଙ୍କୁ ମାଡ଼ ମାରି ଅଟକ ରଖିଲେ ଗ୍ରାମବାସୀ । ଗାଁ ଲୋକଙ୍କ ମାଡ଼ରେ କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀଙ୍କ ମୁଣ୍ଡ ଫାଟିବା ସହ ଓ ଜଣେ ବନ କର୍ମଚାରୀ ଗୁରୁତର ହୋଇ କରଞ୍ଜିଆ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।  ଏବେବି ପ୍ରାୟ ୪ଜଣ ବନ କର୍ମଚାରୀ ନିଖୋଜ ଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ସୋମବାର ରାତିରେ ବନବିଭାଗ ପକ୍ଷରୁ ଗାଁରେ ତଲାସୀ ଅଭିଯାନ ବେଳେ,ଆକ୍ରମଣର ଶିକାର ହୋଇଛନ୍ତି ବନକର୍ମଚାରୀ। ଦୀର୍ଘ ୧ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଅଟକ ରହିବା ପରେ କରଂଜିଆ ବନବିଭାଗ ଓ ଠାକୁରମୁଣ୍ଡା ପୋଲିସର ଟିମ ମିଳିତ ଭାବେ ଗାଁରେ ପହଂଚି ଅଟକ ଥିବା ବନକର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ବି କିଛି କର୍ମଚାରୀ ଏବେବି ନିଖୋଜ ଥିବା ଜଣାପଡିଛି। ପାଖାପାଖି ୨୦ଜଣ ବନ କର୍ମଚାରୀ ଆଜିକାର ତଲାସୀ ଅଭିଯାନରେ ସାମିଲ ହୋଇଥିଲେ । ତେବେ ଆହତ ବନ କର୍ମଚାରୀଙ୍କ କହିବାନୁଯାୟୀ,ସାଲେଇବେଡା ନିକଟ ଏତେଲବେଡ଼ାରେ ବାରହା ମାଂସ ଜବତ କରିବା ବେଳେ ଉତ୍ୟକ୍ତ ହୋଇ ୩୦-୪୦ଜଣ ଶିକାରୀ ହଠାତ୍ ସେମାନଙ୍କୁ ଆକ୍ରମଣ କରିଥିଲେ,ଫଳରେ ଘଟଣା ସ୍ଥଳରେ ରେଞ୍ଜ ଅଧିକାରୀ ଜଣକ ଟଳି ପଡ଼ିଥିଲେ। ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ପର ମୁହୂର୍ତ୍ତରେ କେନ୍ଦୁଝର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.