ବିଜେଡି ସରକାରକୁ ବାରବାଟୀ-କଟକ ଡର

କଟକ : ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନକୁ ଡରୁଛନ୍ତି କି ରାଜ୍ୟ ସରକାର? ନା କଂଗ୍ରେସ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍‌ଙ୍କୁ ବିଜେଡି ସରକାର ପରୋକ୍ଷ ସୁରକ୍ଷା ଦେଉଛନ୍ତି? ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବେ ବିଭିନ୍ନ ମହଲରେ ଏଭଳି ଚର୍ଚ୍ଚାକୁ ହାୱା ଦେଉଛି। ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ ମହମ୍ମଦ ମୋକିମ। ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ୩ ହଜାରରୁ ଅଧିକ ଭୋଟରେ ହରାଇଥିଲେ। କିନ୍ତୁ ଏହି ନିର୍ବାଚନ ଫଳାଫଳ ପରଠାରୁ ମୋକିମଙ୍କର ଅଦାଲତୀ ଅଡୁଆ ବଢିବାରେ ଲାଗିଥିଲା। ଗୋଟିଏ ପଟେ ମୋକିମଙ୍କ ବିରୋଧରେ ସତ୍ୟପାଠରେ ତଥ୍ୟ ଲୁଚାଇବା ଅଭିଯୋଗ ଆଣି ତାଙ୍କ ନିର୍ବାଚନକୁ ଖାରଜ କରିବାକୁ ଆବେଦନ କରି ଦେବାଶିଷ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି ଜାରି ରହିଛି। ଅନ୍ୟପଟେ ୨୦୨୨ ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ଓ ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହା ବିରୋଧରେ ମୋକିମ୍ ହାଇକୋର୍ଟକୁ ‌ଗଲେ ଏବଂ ୨୦୨୨ ଅକ୍ଟୋବର ୧୯ ତାରିଖରେ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ପି. ରାଉତରାୟ ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କଲେ। ଫଳରେ ବିଧାନସଭା ସଭ୍ୟ ପଦ ହରାଇବାରୁ ମୋକିମ୍ ବର୍ତ୍ତି ଗଲେ। କିନ୍ତୁ ହାଇକୋର୍ଟଙ୍କ ଏହି ରାୟକୁ ଇତିମଧ୍ୟରେ ୪୫ରୁ ଅଧିକ ଦିନ ବିତି ଯାଇଥିଲେ ବି ଭିଜିଲାନ୍ସ ବିଭାଗ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯାଇନାହିଁ। ତଥ୍ୟ ଅନୁଯାୟୀ ଭିଜିଲାନ୍ସର ଏ ସଂପର୍କିତ ଆବେଦନ ଏବେ ଆଇନ ମନ୍ତ୍ରାଳୟର ଅନୁମୋଦନ ଅପେକ୍ଷାରେ ରହିଛି।

Leave A Reply

Your email address will not be published.