ମହିଳା କାର୍ଡ ଖେଳିଲା ବିଜେଡି: ଶୀତ ଅଧିବେଶନରେ ପାରିତ ହେଉ ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ। ଅଧିବେଶନ ପୂର୍ବରୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୂତ ସର୍ବଦଳୀୟ ବୈଠକରେ ବିଜେଡି ଅଧିବେଶନ କାଳରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବା ଉପରେ ଜୋର୍‌ ଦେଇଛି। ବୈଠକରେ ବିଜେଡିର ଲୋକସଭା ନେତା ପିନାକୀ ମିଶ୍ର ଏବଂ ରାଜ୍ୟସଭା ନେତା ସସ୍ମିତ ପାତ୍ର କହିଲେ ଯେ ମହିଳା ସଂରକ୍ଷଣ ବିଲକୁ ସଂସଦରେ ପାରିତ କରିବ‌ା ପାଇଁ ସଂସଦର ବିଭିନ୍ନ ଅଧିବେଶନରେ ବିଜେଡି ପକ୍ଷରୁ ଦାବି କରାଯାଇଛି। ଏହି ବିଲ୍‌କୁ ପାରିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଆଉ କାଳ ବିଳମ୍ବ ନକରି ବିଲ୍‌କୁ ପାରିତ କରାଯାଉ ବୋଲି ଉଭୟ ଗୃହର ବିଜେଡି ନେତା ବୈଠକରେ ଦାବି କରିଥିଲେ। ଶୀତ ଅଧିବେଶନ ପାଇଁ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ୧୬ଟି ବିଲ୍‌ ମଧ୍ୟରେ ମହିଳା ସଂରକ୍ଷଣ ବିଲ୍‌ ସ୍ଥାନ ପାଇନଥିବାରୁ ବିଜେଡି ଆଶ୍ଚର୍ଯ୍ୟ ପ୍ରକଟ କରିଛି। ଏହି ବିଲ୍‌ଟି ଯେ ଭଳି ଚଳିତ ଅଧିବେଶନରେ ସ୍ଥାନ ପାଇବ ସେ ନେଇ ପ୍ରୟାସ କରିବା ପାଇଁ ସରକାରଙ୍କୁ ବିଜେଡି ପରାମର୍ଶ ଦେଇଛି। ଅନ୍ୟ ପକ୍ଷରେ ଓଡ଼ିଶା ବିଧାନ ପରିଷଦ ବିଲ ଶୀତ ଅଧିବେଶନରେ ଆଗତ ଲାଗି ବୈଠକରେ ବିଜେଡି ପକ୍ଷରୁ କୌଣସି ଦାବି ଉପସ୍ଥାପନ କରିନାହିଁ। ବୈଠକରେ ଯୋଗଦେଇଥିବା ବିଜେଡି ରାଜ୍ୟସଭା ନେତା ଡକ୍ଟର ପାତ୍ରଙ୍କ ସୂଚନା ହେଲା, ସଂସଦର ଚଳିତ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ ଦାବି ସହ ଓଡ଼ିଶା ସ୍ବାର୍ଥ ସହ ଜଡ଼ିତ ଏକାଧିକ ପ୍ରସଙ୍ଗ ସଂସଦର ଉଭୟ ସଦନରେ ବିଜେଡି ଉଠାଇବ। ଅନୁସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଏହି ପ୍ରସଙ୍ଗକୁ ବିଜେଡି ପ୍ରମୁଖତା ଦେବ। ଏହା ବାଦ୍‌ ଚାଷୀମାନଙ୍କ ସମସ୍ୟା, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ, ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ରେଳପଥ ଓ ଜାତୀୟ ରାଜପଥ ନିର୍ମାଣ, ମୋବାଇଲ୍‌ ଟାୱାର ସ୍ଥାପନ ଆଦି ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦିଆଯିବ। ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ବିଜେଡି ପକ୍ଷରୁ ସରକାରଙ୍କୁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦିଆଯାଇଛି। ସର୍ବଦଳୀୟ ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଉଭୟ ଲୋକସଭା ଓ ରାଜ୍ୟସଭାର ନେତାମାନେ ଉପସ୍ଥିତ ଥି‌ଲେ। ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିବ। ଏଥିରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିବ। ଦରଦାମ ବୃଦ୍ଧି ଓ ବେରୋଜଗାର ଭଳି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଦଳମାନେ ବୈଠକରେ ଦାବି କରିଛନ୍ତି।

Leave A Reply

Your email address will not be published.