ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନାକ୍‌ ମାନ୍ୟତା ଖସିଲା:  ଥିଲା ‘ଏ’, ହେଲା ‘ବି’, ଦାୟୀ କିଏ ?

ବ୍ରହ୍ମପୁର : ଥିଲା ‘ଏ’, ହେଲା ‘ବି’। ନାକ୍‌ ଟିମ୍‌ର ପରିଦର୍ଶନ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ମିଳିଛି ‘ବି’ ଗ୍ରେଡ଼୍‌ ମାନ୍ୟତା।  ଏହି ମାନ୍ୟତାକୁ ନେଇ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାରା ଦକ୍ଷିଣ ଓଡ଼ିଶାର ବୁଦ୍ଧୀଜୀବୀଙ୍କୁ ଆନ୍ଦୋଳିତ କରିଛି। ଏକଦା ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ଶୈକ୍ଷିକ ଭିତ୍ତିଭୂମି ପାଇଁ ରାଜ୍ୟତଥା ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ବିଶ୍ବବିଦ୍ୟାଳୟକୁ ୨୦୧୬ମସିହାରେ ନାକ୍‌ ‘ଏ’ ଗ୍ରେଡ଼ ମାନ୍ୟତା ମିଳିଥିଲା। କିନ୍ତୁ ୬ବର୍ଷ ପରେ ଗତମାସରେ ପୁନଃ ଏହି ବିଶ୍ବବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମି ଯାଂଚ କରିବାକୁ ୫ଜଣିଆ ‘ନାକ୍‌’ ଟିମ୍ ଆସିଥିଲା। କିନ୍ତୁ ବର୍ତ୍ତମାନର ବିଶ୍ବବିଦ୍ୟାଳୟ ସ୍ଥିତିକୁ ତଦାରଖ କରିବା ପରେ ଅସନ୍ତୋଷ ବ୍ୟକ୍ତ କରି ଫେରିଥିଲେ। ପରିଣାମ ସ୍ବରୂପ ସେମାନେ ପ୍ରସ୍ତୁତ କରିଥିବା ରିପୋର୍ଟକୁ ଭିତ୍ତିକରି ଏହି ବିଶ୍ବବିଦ୍ୟାଳୟର ‘ନାକ୍‌’ ମାନ୍ୟତା ହ୍ରାସ ପାଇ ‘ବି’ ଗ୍ରେଡ଼୍ ମିଳିଥିବା ଜଣାପଡ଼ିଛି। ‘ନାକ୍‌’ ଟିମ୍‌କୁ ଡକାଇବା ପୂର୍ବରୁ ଏଥର ଉନ୍ନତ ମାନ୍ୟତା ପାଇବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ଥିଲେ। ବିଶ୍ବବିଦ୍ୟାଳୟକୁ ନୂଆ ରୂପ ଦେବା ପାଇଁ ମାସାଧିକ କାଳ ଚାଲିଥିଲା ସାଜସଜ୍ଜା। କୋଠାବାଡ଼ିରେ ନୂଆ ରଂଗ ଲାଗିଥିଲା। ସଫେଇକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ବେଳେ ସୁଦୃଶ୍ୟ ଫଳକ, ସ୍ଥାନେସ୍ଥାନେ ଫାଉଣ୍ଟେନ୍ ସ୍ଥାପନ ‌ହୋଇଥିଲା। ତେବେ ଏସବୁ ବାହ୍ୟ ଚକାଚକ୍ୟ ସତ୍ତ୍ବେ ‘ନାକ୍‌’ ଟିମ୍ କାହିଁକି ସନ୍ତୁଷ୍ଟ ହୋଇପାରି ନଥିଲେ? ଶୈକ୍ଷିକ ଭିତ୍ତିଭୂମିକୁ ନେଇ କଣ ରହିଛି ସମସ୍ୟା? ‌ମାନ୍ୟତା ହ୍ରାସ ପାଇଁ ଦାୟୀ କିଏ ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଥିବା ଏଭଳି ଏକ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନର ‌ଶୈକ୍ଷିକ ଭିତ୍ତିଭୂମିକୁ କାହିଁକି ଅଣଦେଖା କରାଯାଇଛି? ଏଭଳି ନାନା ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି।

Leave A Reply

Your email address will not be published.