ଅଯୋଗ୍ୟ ସଂସ୍ଥାକୁ ଆଳୁ ବିହନ ଟେଣ୍ଡର ଅଭିଯୋଗ

ଭୁବନେଶ୍ବର: ପଞ୍ଜାବର ଅଯୋଗ୍ୟ ଘରୋଇ ସଂସ୍ଥାକୁ ଆଳୁ ବିହନ ଯୋଗାଣ ପାଇଁ ଟେଣ୍ଡର ଦିଆଯାଇଥିବା ନେଇ ଗୁରୁତର ଅଭିଯୋଗ କରିଛି ନବନିର୍ମାଣ କୃଷକ ସଂଗଠନ। ଏହାର ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, କୃଷି ବିଭାଗ ପ୍ରମୁଖ ସଚିବଙ୍କୁ ପୃଥକ୍ ଭାବରେ ପତ୍ର ଦେଇଛି ସଂଗଠନ। ଅନ୍ୟଦିଗରେ ବିହନ ନିଗମ ପରିଚାଳନା ନିର୍ଦେଶକ ଭବେଶ ନାୟକ କହିଛନ୍ତି ରାଜ୍ୟ ସରକାର କୌଣସି ଘରୋଇ ସଂସ୍ଥାକୁ ବିହନ ଯୋଗାଣ ପାଇଁ ଟେଣ୍ଡର ଦେଇ ନାହାନ୍ତି। ଭାରତ ସରକାରଙ୍କ ଏନଏସିସି, ନାଫେଡ ଏବଂ ଏନଏସଆରଡିଏସକୁ ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କ ପାଖରେ ପହଞ୍ଚିବାର ଥିଲା ଆଳୁ ବିହନ। ମାତ୍ର ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ଚାଷୀଙ୍କ ପାଖରେ ଏହି ପହଞ୍ଚି ପାରିନାହିଁ। ଏଭଳି ସ୍ଥିତିରେ ହେକ୍ଟର ପିଛା ସରକାରଙ୍କ ୫୮ ହଜାର ରିହାତି ସତ୍ତ୍ବେ ମଧ୍ୟ ଆଳୁ ଉତ୍ପାଦନ ଆଶାଜନକ ହେବ ନାହିଁ ବୋଲି ବର୍ତ୍ତମାନ ଠାରୁ ଆଶଙ୍କା ହେଲାଣି। ଏହାକୁ ନେଇ ସଂଗଠନ କହିଛି, ୩ ବର୍ଷ ଧରି ପାଖାପାଖି ୩୫ କୋଟି ଟଙ୍କା କାରବାର କରିଥିବା ସଂସ୍ଥାକୁ ଆଳୁ ବିହନ ଟେଣ୍ଡର ପ୍ରଦାନର ନୂତନ ନିୟମ ରହିଛି। ମାତ୍ର ପଞ୍ଜାବର ଧୀରଜ ସଂସ୍ଥା ଏତେ କୋଟି ଟଙ୍କା କାରବାର କରିନଥିବା ପଞ୍ଜାବ ବିହନ ନିଗମର ରିପୋର୍ଟରୁ ଜଣାପଡ଼ିଛି। ଏଥିଯୋଗୁଁ ଧୀରଜ ସଂସ୍ଥା ଚାହିଦା ଅନୁସାରେ ବିହନ ଯୋଗାଣ କରିପାରୁ ନାହିଁ ଏବଂ ଏହା ବିଳମ୍ବିତ ହେଉଛି।

Leave A Reply

Your email address will not be published.