ଆର୍‌ଜିଏଚ୍‌ରେ ନବଜାତ ଶିଶୁ ବିକ୍ରି: ୨୫ ହଜାର ଟଙ୍କାରେ ପୁଅକୁ ଅନ୍ୟ ହାତରେ ଟେକିଦେଲେ ମା’

ରାଉରକେଲା: ରାଉର‌କେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ନବଜାତ ଶିଶୁ ବିକ୍ରି ଅଭିଯୋଗ! ୨୫ ହଜାର ଟଙ୍କାରେ ଜନ୍ମକଲା ମା’ ନିଜ ନବଜାତ ପୁଅକୁ ବିକ୍ରି କରିଦେଇଛନ୍ତି। ତାହା ପୁଣି ଡାକ୍ତରଖାନାର ସମାନ ୱାର୍ଡରେ ମୃତ୍ୟୁବରଣ କରିଥିବା ଅନ୍ୟ ଏକ ନବଜାତ ପୁଅର ମା’କୁ। ଏହାପରେ କାହାକୁ କିଛି ନ କହି ଉକ୍ତ ଆଦିବାସୀ ମହିଳା ସ୍ବାମୀଙ୍କ ସହ ଝାଡ଼ଖଣ୍ଡର ନିଜ ଗାଁକୁ ଚାଲି ଯାଇଛନ୍ତି। ଗତ ୨ ତାରିଖରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ କେହି ଏହାର ସୁରାକ୍‌ ପାଇ ନଥିଲେ। ତେବେ, ପୁତ୍ରହରା ମା’ଙ୍କ କୋଳରେ ଆଉ ଏକ ଶିଶୁକୁ ଦେଖିବା ପରେ କୁହାକୁହିରେ ଘଟଣା ସାମ୍‌ନାକୁ ଆସିଛି। ତଥ୍ୟ ଅନୁସାରେ, ଉଦିତନଗର ଅଞ୍ଚଳରେ ଥିବା ଏକ ବସ୍ତି (ଶିଶୁଟିର ପରିଚୟ ଗୋପନ ରଖିବାଲାଗି ବସ୍ତିର ନାଁ ଉଲ୍ଲେଖ କରା ଯାଉନାହିଁ)ରେ ରହୁଥିବା ଜଣେ ଗର୍ଭବତୀ ଗତ ୧ ତାରିଖରେ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ, ନବଜାତର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକ ମୃତଶିଶୁକୁ ନେଇ ନିଜ ବସ୍ତି ଇଲାକାରେ ପୋତି ଦେଇଥିଲେ। ଆର୍‌ଜିଏଚ୍‌କୁ ପଡ଼ୋଶୀ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଅନେକ ଗାଁରୁ ବହୁରୋଗୀ ଆସନ୍ତି। ସେହିକ୍ରମରେ ସେହି ସମାନ ୱାର୍ଡରେ ଝାଡ଼ଖଣ୍ଡ ମନୋହରପୁର ଆନନ୍ଦପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ନଭେମ୍ବର ୨୯ରେ ଭର୍ତ୍ତି ହୋଇଥିଲେ। ସେହିଦିନ ହିଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କୁ ୩୦ ତାରିଖରେ ଡିସ୍‌ଚାର୍ଜ କରାଯାଇଥିଲା। କିନ୍ତୁ, କୌଣସି କାରଣବଶତଃ ସେହିଦିନ ସେ ଡାକ୍ତରଖାନାରୁ ଯାଇପାରି ନଥିଲେ।ପରଦିନ ସନ୍ଧ୍ୟାରେ ସେହି ୱାର୍ଡରେ ମୃତ୍ୟୁବରଣ କରିଥିବା ନବଜାତ ପୁତ୍ର ସନ୍ତାନର ମା’ ଓ ତାଙ୍କ ସ୍ବାମୀ ଝାଡ଼ଖଣ୍ଡର ଉକ୍ତ ମହିଳାଙ୍କୁ ନବଜାତ ପୁତ୍ର ସନ୍ତାନକୁ ବିକ୍ରି କରିବାକୁ ଟଙ୍କାର ଲୋଭ ଦେଖାଇଥିଲେ। ଏଥିପାଇଁ ମହିଳା ଜଣକ ୫୦ ହଜାର ଟଙ୍କା ଦାବି କରିଥିଲେ। ତେବେ, ଶିଶୁକୁ ନେବାକୁ ଇଚ୍ଛୁକ ମହିଳା ଓ ତାଙ୍କ ସ୍ବାମୀ ମାତ୍ର ୨୫ ହଜାର ଟଙ୍କା ଦେଇହେବ ବୋଲି କହିଥିଲେ। ଏମିତି ମୂଲଚାଲ ପରେ ଝାଡ଼ଖଣ୍ଡର ମହିଳା ସେଥିରେ ରାଜି ହୋଇଥିଲେ। ତା’ପରେ ଅନ୍ୟ ମହିଳାଙ୍କ ସ୍ବାମୀ ଘରେ ଥିବା ସୁନାଗହଣାକୁ ବନ୍ଧକ ରଖି ୨୫ ହଜାର ଟଙ୍କା ଆଣିଥିଲେ। ଝାଡ଼ଖଣ୍ଡର ଦମ୍ପତି ସେହି ୨୫ ହଜାର ଟଙ୍କା ନେଇ ନିଜ ନବଜାତ ପୁଅକୁ ଏମାନଙ୍କୁ ଦେଇ ନିଜ ଘରକୁ ବାହୁଡ଼ି ଯାଇଥିଲେ। ସରକାରୀ ଡାକ୍ତରଖାନା ପରିସରରେ ହୋଇଥିବା ଏ କାରବାରର କେହି ଟେର୍‌ ପାଇପାରିନଥିଲେ।

Leave A Reply

Your email address will not be published.