୫୦ ଆଦିବାସୀ ଗାଁକୁ ଆଜି ବି ଡିବିରି ଭରସା

ପାତ୍ରପୁର : ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ବିଦ୍ୟୁତ୍ ସେବା ଭଳି ମୌଳିକ ଆବଶ୍ୟକତା ଭାବେ ପରିଗଣିତ ହୋଇଛି। ଫଳରେ ଗାଁଠୁ ଆରମ୍ଭ କରି ସହର ସବୁଠି ଘରେ ଘରେ ସେବାକୁ ପହଞ୍ଚାଇବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ମାଳମାଳ ଯୋଜନା ହାତକୁ ନେଇଛନ୍ତି। ତେବେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ଗୋଟିଏ ପଟେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳୁଥିବା ବେଳ‌େ ଆଜି ବି ତିନି ପଞ୍ଚାୟତର ୫୦ଟି ଆଦିବାସୀ ଦୁର୍ଗମ ଗାଁର ଲୋକେ ବିଦ୍ୟୁତ୍ ସେବା କଣ, ଆଜିଯାଏ ଜାଣିନାହାନ୍ତି। ଫଳରେ ଆଜି ବି ସଞ୍ଜ ନଇଁଲେ ପ୍ରତି ଘରେ କିରାସିନି ଡିବିରି ଓ ମହମବତି ଜଳୁଛି। ୨୦୧୯ ମସିହାରେ ସଂଗୃହୀତ ସରକାରୀ ରେକର୍ଡ଼ ଅନୁସାରେ, ପାହାଡ଼ ଉପରେ ଥିବା ତୁମ୍ବା, ବୁରାତାଲ, ଓ ଆଙ୍କୁଲି ପଞ୍ଚାୟତର ୫୦ରୁ ଅଧିକ ଗ୍ରାମରେ ବିଦ୍ୟୁତ୍ ସେବା ଆଜି ଅପହଞ୍ଚ ବୋଲି ଜଣାପଡ଼ିଥିଲା। ଜିଲ୍ଲାପାଳଙ୍କ ରିପୋର୍ଟରୁ ଏହି ତଥ୍ୟ ହସ୍ତଗତ ହେବା ପରେ ବିଦ୍ୟୁତ୍ ବିଭାଗ ସର୍ଭେ ଆରମ୍ଭ କରିଥିଲା। ଉକ୍ତ ଗ୍ରାମ ଗୁଡ଼ିକରୁ ୧୦ ପ୍ରତିଶତ ଅର୍ଥାତ୍ ୫ଟି ଗ୍ରାମକୁ ହିଁ ବିଦ୍ୟୁତ୍ ସଂଯୋଗୀକରଣ ହୋଇପାରିବ ବୋଲି ବିଦ୍ୟୁତ୍ ବିଭାଗ ସ୍ପଷ୍ଟ କରିଥିଲା। ଅନ୍ୟ ଗ୍ରାମ ଗୁଡ଼ିକରେ ବିକଳ୍ପ ବ୍ୟବସ୍ଥା ସ୍ବରୂପ ସୋଲାର୍ ଯୋଜନା ହାତକୁ ନେବା ଲାଗି ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବ‌େ ଆଜିଯାଏ ଉକ୍ତ ଗ୍ରାମ ଗୁଡ଼ିକୁ ବିଦ୍ୟୁତ୍ ସେବା ପହଞ୍ଚି ପାରି ନଥିବା ପାତ୍ରପୁର ସବଡିଭିଜନ୍ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି କିଛି ଆଦିବାସୀଅଧ୍ୟୁଷିତ ଗ୍ରାମରେ ସୋଲାର୍ ଲାଇଟ୍ ବ୍ୟବସ୍ଥା ରହିଥିଲେ ହେଁ, ତାହା ଭଙ୍ଗାରୁଜା ଅବସ୍ଥାରେ ରହିଛି। କିନ୍ତୁ ବେସରକାରୀ ରେକର୍ଡ଼କୁ ଅନୁଧ୍ୟାନ କଲେ ବିଦ୍ୟୁତ୍ ଓ ସୋଲାର୍ ବ୍ୟବସ୍ଥା ପହଞ୍ଚି ପାରି ନଥିବା ଏଭଳି ଶତାଧିକ ଗ୍ରାମ ରହିଛି। ତୁମ୍ବା ପଞ୍ଚାୟତର ବଡ଼ଅଞ୍ଜାଙ୍ଗୁଲି, ସାନଅଞ୍ଜାଙ୍ଗୁଲି, ବଡ଼ରମ୍ପା, ସାନରମ୍ପା, କୁରାଙ୍ଗ ଓ ବାଲିଗାଁନୂଆସାହି ପ୍ରମୁଖ ୧୦ଟି ଗାଁରେ ବିଦ୍ୟୁତୀକରଣ ହୋଇ ନଥିବା ବେଳେ କିଛି ଗାଁରେ ଥିବା ସୋଲାର୍ ବ୍ୟବସ୍ଥା ‘ତିତ୍‌ଲି’ ବାତ୍ୟାରୁ ଅଚଳ ହୋଇ ପଡ଼ିରହିଛି।

Leave A Reply

Your email address will not be published.