ଖୁବ୍‌ଶୀଘ୍ର କନ୍ଧମାଳକୁ ମାଓମୁକ୍ତ କରାଯିବ

ଫୁଲବାଣୀ : କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତରେ ଗତକାଲି କମ୍ବିଂ ଅପରେସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଅପରେସନ ବେଳେ ୧୦ରୁ ୧୫ ଜଣ ମାଓବାଦୀ ଥିଲେ। ତେବେ, ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ମହିଳା କ୍ୟାଡର ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବହୁ ମାଓବାଦୀ ଆହତ ହୋଇଛନ୍ତି। ଫୁଲବାଣୀର ମାଦିକୁନ୍ଦାସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ‌ରେ ପୁଲିସ ଆଇଜି (ଅପରେସନ୍‌) ଅମିତାଭ ଠାକୁର ଏହା କହିଛନ୍ତି। ମୃତ ମହିଳା ମାଓବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳି ପାରିନାହିଁ। ଜଣେ ହେଉଛି ଛତିଶଗଡ଼ ଅଞ୍ଚଳର ମାଓ କ୍ୟାଡର୍‌ କମଳା ବୋଲି ଶ୍ରୀ ଠାକୁର ସୂଚନା ଦେଇଛନ୍ତି। ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ଏସ୍‌ଓଜି-ଡିଭିଏଫ୍‌ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବାବେଳେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସୀମାନ୍ତ ଗୋଛାପଡ଼ା ଥାନା ଅଞ୍ଚଳର ମାଟାକୁପା ସଂରକ୍ଷିତ ଜଙ୍ଗଲରେ ଉଭୟ ପକ୍ଷ ମୁହାଁମହିଁ ହୋଇଥିଲେ। ଦୀର୍ଘସମୟ ଧରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବା ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ କେକେବିଏନ୍‌ ମାଓ ଡିଭିଜନର ଦୁଇ ମହିଳା ମାଓବାଦୀଙ୍କର ପ୍ରାଣ ଚାଲିଯାଇଥିଲା। ଏହାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋର୍‌ଦାର୍‌ କରାଯାଇଛି।

Leave A Reply

Your email address will not be published.