ଏଚ୍‌ଏସ୍‌ଆର୍‌ପିରେ ନୂଆ ସମସ୍ୟା: ‌ବୁକିଂ ହେଉନି ବନ୍ଦ କମ୍ପାନିର ଗାଡ଼ି ନମ୍ବର

ଭୁବନେଶ୍ବର : ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି)କୁ ନେଇ ଏବେ ଏକ ନୂଆ ସମସ୍ୟା ପଦାକୁ ଆସିଛି। ଦେଶରୁ ବ୍ୟବସାୟ ବନ୍ଦ କରିଦେଇଥିବା କିଛି ବାହାର କମ୍ପାନି ଗାଡ଼ି ପାଇଁ ଏହି ନମ୍ବର ପ୍ଲେଟ୍‌ ବୁକିଂ ହୋଇପାରୁନାହିଁ। ଗାଡ଼ି ମାଲିକ ଆର୍‌ଟିଓଠାରୁ ଆରମ୍ଭ କରି ପରିବହନ ବିଭାଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ କେହି ତାଙ୍କ ସମସ୍ୟାର ସମାଧାନ କରିପାରୁନାହାନ୍ତି। ଏପରିକି ଟେଣ୍ଡର୍‌ ଦେଇଥିବା ସଂସ୍ଥାକୁ ମଧ୍ୟ ମେଲ୍‌ ଜରିଆରେ ଜଣାଇଲେ କୌଣସି ଲାଭ ହେଉନାହିଁ। ତେଣୁ ଟ୍ରାଫିକ୍‌ରେ ଧରା ପଡ଼ି ଚାଲାଣ ଦେବା ଭୟରେ ସେମାନେ ଘରୁ ଗାଡ଼ି ବାହାର କରୁନାହାନ୍ତି। ସୂର୍ଯ୍ୟ ନାରାୟଣ ଦାସ ନାମକ ଜଣେ ବ୍ୟକ୍ତି ୨୦୧୭ ମସିହାରେ ୟୁଏମ୍‌ କମାଣ୍ଡୋ ଗାଡ଼ି କିଣିଥିଲେ। ଗାଡ଼ିର ଦାମ୍ ପାଖାପାଖି ୨ ଲକ୍ଷ ଟଙ୍କା ହେବ। ତେବେ କରୋନା ପରେ ବିଶ୍ବବ୍ୟାପୀ ଆସନ୍ନ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଏହି ବିଦେଶୀ କମ୍ପାନି ଭାରତ ଛାଡ଼ି ଦେଇଛି। ଭାରତରେ ଥିବା ଏହାର ୟୁନିଟ୍‌ଗୁଡ଼ିକ ବନ୍ଦ ହେବା ସହ ବିକ୍ରି ଓ ସର୍ଭିସିଂ ବନ୍ଦ ହୋଇଯାଇଛି। ଭାରତର କୌଣସି ଗାଡ଼ି କମ୍ପାନି ସହ ମଧ୍ୟ ତା’ର ସହବନ୍ଧନ ନାହିଁ। ତେଣୁ ଏବେ ଏଭଳି ଗାଡ଼ିର ଏଚ୍‌ଏସ୍‌ଆର୍‌ପି ନମ୍ବର ୱେବ୍‌ସାଇଟ୍‌ରେ ବୁକ୍‌ ହୋଇପାରୁନାହିଁ। ବୁକ୍‌ କରିବା ବେଳେ କମ୍ପାନିର ବିକଳ୍ପ ହିଁ ଦେଖାଉନାହିଁ। ତେଣୁ ସେ କ’ଣ କରିବେ, ଚିନ୍ତାରେ ପଡ଼ିଛନ୍ତି। ନା ଗାଡ଼ି କମ୍ପାନିକୁ ଅଭିଯୋଗ କରିପାରୁଛନ୍ତି ନା ଆର୍‌ଟିଓ କିଛି କରିପାରୁଛି। କିନ୍ତୁ ରାଜ୍ୟ ପରିବହନ ବିଭାଗ (ଏସ୍‌ଟିଏ)ର ଜଣେ ଅଧିକାରୀଙ୍କ କହିବା କଥା, ସବୁ କମ୍ପାନିର ଗାଡ଼ି ପାଇଁ ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ୍‌ ବୁକିଂ ହୋଇପାରିବ। ଯେଉଁମାନେ ବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାଙ୍କର ଗା଼ଡି ଯେଉଁ ଆରଟିଓ ଅଧୀନରେ ରେଜିଷ୍ଟ୍ରେସନ୍‌ ହୋଇଛି ସେହି ଆରଟିଓ ଅଫିସରେ ଯୋଗଯୋଗ କଲେ ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ୍‌ ବୁକିଂ କରିପାରିବେ। ସମସ୍ତ ଆରଟିଓ ଅଫିସରେ ଏଚ୍‌ଏସ୍‌ଆରପି ହେଲ୍‌ପ ଡେସ୍କ ରହିଛି। ତେଣୁ ସେଠାରେ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.