ଥାନା ଭିତରେ ପ୍ରଚଣ୍ଡ ବିସ୍ଫୋରଣ, ୧ କିମି ଦୂର ପର୍ଯ୍ୟନ୍ତ ଶୁଭିଲା ଶବ୍ଦ

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଶବ୍ଦ ୧ କିମି ଅଞ୍ଚଳ ଯାଏ ଅନୁଭୂତ ହୋଇଥିଲା। ବି‌ସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ ଉଡ଼ି ଯାଇଥିବାବେଳେ ଥାନା ଆଖପାଖ ଅଞ୍ଚଳରେ ଥିବା ଅନେକ ଘରର ଝରକା, କବାଟ କାଚ ଭାଙ୍ଗିରୁଜି ଯାଇଛି। ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟ। କାନ ତାବ୍‌ଦା କଲାଭଳି ପ୍ରଚଣ୍ଡ ବିସ୍ଫୋରଣ ଶଦ୍ଦ‌ ଶୁଣି ଲୋକେ ଶିହିରି ଉଠିଥିଲେ। ହଇଚଇ ଖେଳି ଯାଇଥିଲା ଥାନା ଅଞ୍ଚଳରେ। ଭୂମିକମ୍ପ କିମ୍ବା ବୋମା ବିସ୍ଫୋରଣ ଭାବି ଅନେକ ଲୋକ ଭୟରେ ଘରୁ ପଦାକୁ ଦୌଡ଼ି ପଳାଇ ଆସିଥିଲେ। ପରେ ଜଳେଶ୍ୱର ଥାନା ପରିସରରେ ଥିବା ଏକ ପୁରୁଣା ପାଇଖାନା ଘରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଥିଲା। ସୂଚନା ମୁତାବକ, ଗତ ଦୀପାବଳି ସମୟରେ ବାଣ ବ୍ୟବସାୟୀଙ୍କ ଉପରେ ପୁଲିସ ଚଢ଼ାଉ କରିବା ସମୟରେ କିଛି ବାଣ ଆରୁହା ପଞ୍ଚାୟତ ଶାଳିକୋଠା ସମେତ ଅନ୍ୟ କେତେକ ସ୍ଥାନରୁ ଜବତ କରାଯାଇଥିଲା। ଜବତ ବାଣଗୁଡ଼ିକୁ ଥାନା ପଛପଟେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ପାଇଖାନା ଘରେ ରଖାଯାଇଥିଲା। ଯାହା ଗୁରୁବାର ଦିନ ବିସ୍ଫୋରିତ ହୋଇଛି। ତେବେ, ଉକ୍ତ ପାଇଖାନା ଘରେ ନିଆଁ ଲାଗିବା ଭଳି କୌଣସି ଆପତ୍ତିଜନକ ସାମଗ୍ରୀ ନଥିବା ବେଳେ ବାଣରେ କିପରି ନିଆଁ ଲାଗିଲା, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେହି ଉଦ୍ଦେଶ୍ୟମୂଳକ ଭାବେ ନିଆଁ ପକାଇଛି ନା ପାଇଖାନା ପାଖରେ ଅଜାଣତରେ କେହି ବିଡ଼ି, ସିଗାରେଟ୍‌ ପିଉଥିବା ସମୟରେ ସେହି ନିଆଁରୁ ବାଣ ବିସ୍ଫୋରଣ ଘଟିଛି, ତାହା ତଦନ୍ତସାକ୍ଷେପ।ଅନ୍ୟପକ୍ଷରେ ଯେଉଁ ପାଇଖାନା ଘରେ ଜବତ ବାଣକୁ ରଖାଯାଇଥିଲା, ତା ନିକଟରେ ବହୁ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ଲୋକଙ୍କ ବାସଗୃହ ରହିଛି। ଜବତ ବାଣଗୁଡ଼ିକୁ ନଷ୍ଟ କରିବା ପରିବର୍ତ୍ତେ ସେଠାରେ କାହିଁକି ରଖାଯାଇଥିଲା ତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.