ଜାନୁଆରି ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ

ପୁରୀ : ଜାନୁଆରି ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ପଦ୍ମଫୁଲରେ ସଜ୍ଜିତ ହେବେ ବଡଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ।। ଏଥିପାଇଁ ବେଶ ପ୍ରସ୍ତୁତି ପୂର୍ବରୁ ଆଜି ବଡ଼ଛତା ମଠରେ ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ମଠ ପରିସରରେ ମହନ୍ତ, କାରିଗରଙ୍କ ଉପସ୍ଥିତିରେ ବେଶ ପ୍ରସ୍ତୁତି ସାମଗ୍ରୀ ଓ ବେଶ ପ୍ରସ୍ତୁତିରେ କାରିଗରଙ୍କ ଦ୍ବାରା ବ୍ୟବହାର ହେବାକୁ ଥିବା ସରଞ୍ଜାମ ପୂଜାର୍ଚ୍ଚନା କରାଯାଇଛି। ଏହାସହ ଆଜିଠାରୁ ବେଶ ପ୍ରସ୍ତୁତି କାମ ଆରମ୍ଭ‌ ହୋଇଛି। ବେଶ କାରିଗରମାନେ ପ୍ରାୟ ଦେଢ଼ ମାସ ଧରି ଶୁଦ୍ଧପୁତ ଭାବେ ପଦ୍ମବେଶ ପ୍ରସ୍ତୁତିରେ ଲାଗିବେ। ଶ୍ରୀଜିଉଙ୍କ ଶ୍ରୀମୁଖ ପଦ୍ମ, ଡାଳି, ସିଂହାସନ ସହ ଗଛ, ଶ୍ରୀହସ୍ତ ପଦ୍ମ କଢ଼, ହଂସ, କରପଲ୍ଲବ ମାଳ, ପଦ୍ମଫୁଲ, ଚୁଳ କାମ ଆଦି ପ୍ରସ୍ତୁତ ହେବ। ବେଶ ପ୍ରସ୍ତୁତି ପାଇଁ ସୋଲ, ବାଉଁଶ, ସନ୍ତରା ପଟ, ପଇତା, କନା, ଜରି, ଡୋରି, କଇଁଥ ଅଠା ଆଦି ଆବଶ୍ୟକ ସାମଗ୍ରୀ ବଡ଼ଛତା ମଠ ପକ୍ଷରୁ କାରିଗରମାନଙ୍କୁ ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.