ଆଜିଠୁ କ୍ବାର୍ଟର୍‌ଫାଇନାଲ୍‌ ଲଢ଼େଇ

ଭୁବନେଶ୍ବର: ଫିଫା ବିଶ୍ବକପ୍‌ କାତାର ସଂସ୍କରଣର କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟାୟ ଶୁକ୍ରବାରଠୁ ଆରମ୍ଭ ହେବ। ବ୍ରାଜିଲ୍‌ ଓ କ୍ରୋଏସିଆ ମଧ୍ୟରେ ପ୍ରଥମ ଏବଂ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ସେହିପରି ଶନିବାର କ୍ବାର୍ଟର ଫାଇନାଲ୍‌ରେ ପ୍ରଥମ ମ୍ୟାଚ୍‌ ମରକ୍କୋ-ପର୍ତୁଗାଲ୍‌ ଏବଂ ଦ୍ବିତୀୟ ମ୍ୟାଚ୍‌ ଇଂଲଣ୍ଡ-ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିନର ପ୍ରଥମ ମ୍ୟାଚ୍‌ ସନ୍ଧ୍ୟା ସାଢେ ୮ ଓ ଦ୍ବିତୀୟ ମ୍ୟାଚ୍‌ଗୁଡ଼ିକ ରାତି ସାଢେ ୧୨ରେ ଖେଳାଯିବ। ତେବେ ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଥିବା ପ୍ରିକ୍ବାର୍ଟର ହ୍ୟାଟ୍ରିକ୍‌ ଗୋଲ୍‌ ସ୍କୋରର ଗଙ୍ଗାଲୋ ରାମୋସ୍‌, ଲିଓନେଲ୍‌ ମେସି, କଡ଼ି ଗାକ୍‌ପୋଙ୍କ ଉପରେ ପ୍ରଶଂସକଙ୍କ ନଜର ରହିବ। କ୍ବାର୍ଟର ଫାଇନାଲ୍‌ ଯାତ୍ରା ପୂର୍ବରୁ ବ୍ରାଜିଲ୍‌ ଗ୍ରୁପ୍‌ ଜି’ରେ ସର୍ବିଆ (୨-୦) ଓ ସ୍ବିଜରଲାଣ୍ଡ (୧-୦)କୁ ହରାଇଥିଲା ବେଳେ କାମେରୁନ୍‌ (୦-୧)ଠୁ ପରାଜିତ ସତ୍ତ୍ବେ ଗ୍ରୁପ୍‌ ବିଜେତା ହୋଇଥିଲା। ଅନ୍ୟପକ୍ଷରେ କ୍ରୋଏସିଆ କେବଳ କାନାଡାକୁ ୪-୧ ଗୋଲ୍‌ରେ ହରାଇଥିଲା ବେଳେ ମରକ୍କୋ (୦-୦) ଓ ବେଲଜିୟମ୍‌ (୦-୦) ସହିତ ଅମୀମାଂସତ ରଖି ଦଳ ଗ୍ରୁପ୍ଏ-ଫ୍‌ ଉପବିଜେତା ହୋଇଥିଲା। ତେବେ ଉଭୟ ଦଳ ଏସୀୟ ପ୍ରତିପକ୍ଷଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୨୦୧୮ ସଂସ୍କରଣର ଉପବିଜେତା କ୍ରୋଏସିଆ ପ୍ରିକ୍ବାର୍ଟରରେ ଜାପାନ୍‌ ବିପକ୍ଷରେ ପେନାଲ୍‌ଟି ସୁଟ୍‌ଆଉଟ୍‌ରୁ ବିଜୟୀ ହୋଇଥିଲା। ଗୋଲ୍‌ରକ୍ଷକ ଡୋମିନିକ୍‌ ଲିଭାକୋଭିକ୍‌ ଜାପାନ୍‌ର ତିନିଟି କିକ୍‌କୁ ରୋକିବାରୁ ସେ ଏହି ମ୍ୟାଚ୍‌ର ହିରୋ ହୋଇଯାଇଥିଲେ।

Leave A Reply

Your email address will not be published.