ଇଂଲଣ୍ଡ ଶିବିରରେ ଯୋଗ‌ଦେବେ ଷ୍ଟର୍ଲିଂ

ଦୋହା: ଫ୍ରାନ୍ସ ବିପକ୍ଷରେ ଇଂଲଣ୍ଡର କ୍ବାର୍ଟର ଫାଇନାଲ୍‌ ମୁକାବିଲା ପୂର୍ବରୁ ଦଳ ସହିତ ସାମିଲ ହେବେ ଫରୱାର୍ଡ ଖେଳାଳି ରହିମ୍‌ ଷ୍ଟର୍ଲିଂ। ଷ୍ଟର୍ଲିଂଙ୍କ ଘରେ ଡକାୟତି ହୋଇଥିବାରୁ ସେ ବିଶ୍ବକପ୍‌ ଅଧାରୁ ଦଳ ଛାଡ଼ି ଇଂଲଣ୍ଡ ଫେରିଯାଇଥିଲେ। ଫଳରେ ସେନେଗାଲ୍‌ ବିପକ୍ଷ ୩-୦ ପ୍ରିକ୍ବାର୍ଟର ବିଜୟ ମ୍ୟାଚ୍‌ରେ ସେ ଖେଳିପାରିନଥିଲେ। ତେବେ ସେ ପ୍ରଥମ ଦୁଇ ଗ୍ରୁପ୍‌ ମ୍ୟାଚ୍‌ରେ ଖେଳିଥିଲା ବେଳେ ଇରାନ୍‌ ବିପକ୍ଷ ବିଜୟ (୬-୨)ରେ ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ତେବେ କ୍ବାର୍ଟର ଫାଇନାଲ୍‌ରେ ତାଙ୍କୁ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରିବାକୁ ପଡ଼ିପାରେ। କାରଣ ବୁକାୟୋ ସାକା ଓ ମାର୍କସ ରାସଫୋର୍ଡ ତିନିଟି ଲେଖାଏଁ ଗୋଲ୍‌ ଦେଇ ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଥିବାରୁ ଏମାନଙ୍କୁ ବସାଇବା ଦଳ ପକ୍ଷେ ଉଚିତ୍‌ ହେବନି। ଯଦି ବି ଦଳ ଏହି ପର୍ଯ୍ୟାୟ ପାର୍‌ କରିଯାଏ, ତାହେଲେ ସେମି ଫାଇନାଲ୍‌ରେ ପର୍ତୁଗାଲ୍‌-ମରକ୍କୋ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବ। ତେଣୁ ସେପର୍ଯ୍ୟନ୍ତ ଷ୍ଟର୍ଲିଂଙ୍କୁ ଅପେକ୍ଷା କରିବାକୁ ପଡ଼ିପାରେ।

Leave A Reply

Your email address will not be published.