ସୁରତରେ ଓଡ଼ିଆ ନାବାଳିକାକୁ ହତ୍ୟା ଘଟଣାରେ ହଇଚଇ

ବ୍ରହ୍ମପୁର : ସୁରତରେ କାମ କରୁଥିବା ଗଞ୍ଜାମ ଜିଲ୍ଲାର ଏକ ପରିବାରର ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବିଭିନ୍ନ ମହଲରେ ହଇଚଇ ସୃଷ୍ଟିହୋଇଛି। ସୁରତ ପୁଲିସ ହତ୍ୟାକାରୀକୁ ଗିରଫ କରି ଶୁକ୍ରବାର ଦିନ କୋର୍ଟଚାଲାଣ କରିଛି। ଏପଟେ ଓଏସ୍‌ସିପିସିଆର୍‌ ଅଧ୍ୟକ୍ଷା ମନ୍ଦାକିନୀ କର ପୀଡ଼ିତାଙ୍କ ପରିବାରକୁ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଗୁଜରାଟର ମହିଳା ଓ ଶିଶୁ ବିକାଶ ବିଭାଗ, ସୁରତ ଜିଲ୍ଲାପାଳ ଏବଂ ଏସ୍.ପି.ଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ବର ଚାଇଲ୍ଡ ଲାଇନ୍‌ର ନିର୍ଦ୍ଦେଶରେ ଡ.ବେଣୁଧର ସେନାପତି ସୁରତ ଚାଇଲ୍ଡ ଲାଇନ୍‌ ସହିତ ଯୋଗାଯୋଗ କରିଛନ୍ତି। ମୃତ ନାବାଳିକାଙ୍କ ପରିବାର ବର୍ଗଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଇଥିବା ସେ କହିଛନ୍ତି। ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଏହି ଘଟଣାକୁ ନେଇ ଜାତୀୟ ମାନବ ଅଧିକାର କମିସନ୍‌(ଏନ୍ଏଚ୍‌ଆର୍‌ସି)ରେ ମାମଲା ରୁଜୁ କରିଛନ୍ତି। ଏଭଳି ଜଘନ୍ୟ ଅପରାଧ ପାଇଁ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦରେ ୫୦ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଇଲାକାର ଏକ ପରିବାର ସୁରତ କତାରଗାଁ ବେଡ୍‌ରୋଡ଼ସ୍ଥିତ ତିରୁପତି ସୋସାଇଟିରେ ରହୁଛନ୍ତି। ବାପା, ମା’ ଓ ୪ ଝିଅ ଗୋଟିଏ ଘରେ ଭଡ଼ା ରହୁଥିଲେ। ତେବେ ଗତ ୭ତାରିଖ ମଧ୍ୟାହ୍ନରୁ ନିଖୋଜ ଥିବା ସାନଝିଅର ମୃତଦେହ ରାତିରେ ପଡ଼ୋଶୀଙ୍କ ଘରୁ ଉଦ୍ଧାର ହୋଇଥିଲା। ଏକ କୋଠରିରୁ ଖଟର ବକ୍ସ ଭିତରେ ଅଖା ବସ୍ତାରେ ବନ୍ଧାହୋଇ ଥିବା ଝିଅର ମୃତଦେହ ଜବତ କରିଥିଲା ଚୌକ୍‌ ବଜାର ଥାନା ପୁଲିସ। ରାତିରେ ସୁରତ କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ଘରମାଲିକ ମୁକେଶ ପ୍ରଜାପତିକୁ ଗିରଫ କରିଥିଲା। ଏଭଳି ଜଘନ୍ୟ କାଣ୍ଡ ବିଷୟରେ ପ୍ରଚାର ହେବାପରେ ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

Leave A Reply

Your email address will not be published.