ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ ବର୍ଷା

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ଦିନ ବର୍ଷା ସିଂ ବରିହା ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂହଦେଓ, ପ୍ରଭାସ କୁମାର ସିଂ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହିତ ଯାଇ ବର୍ଷା ନବୀନଙ୍କ ଆଶୀର୍ବାଦ ନେଇଥିଲେ। ଏହା ପୂର୍ବରୁ ସେ ନିଜ ଶ୍ବଶୁର ଘର ବିଜେପି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିଆର ସିଂହ ଓ ତାଙ୍କ ପତ୍ନୀଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ବର୍ଷା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପଦ୍ମପୁରର ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଖୁସି ଲାଗୁଛି। ନିର୍ବାଚନ ଲଢ଼ିବା ପାଇଁ ଶ୍ୱଶୁର ଓ ପରିବାର ତରଫରୁ ମାନସିକ ସମର୍ଥନ ମିଳିଥିଲା। ଏବେ ପଦ୍ମପୁର ହେଉଛି ତାଙ୍କର କର୍ମଭୂମି ଏବଂ ସେ ଅଞ୍ଚଳର ବିକାଶ ତାଙ୍କର ପ୍ରାଥମିକତା। ବାପାଙ୍କ ପରି ଲୋକଙ୍କ ସେବା କରିବି ଓ ଲୋକଙ୍କ ଭରସା ଓ ବିଶ୍ୱାସ ଭାଙ୍ଗିବିନି ବୋଲି ବର୍ଷା କହିଛନ୍ତି। ସେହିଭଳି ଶ୍ରୀ ବଳିଆର ସିଂ କହିଛନ୍ତି ଯେ ଗଣତନ୍ତ୍ରରେ ଲୋକମତ ଠାରୁ ଆଉ କିଛି ବଡ଼ ନାହିଁ। ଲୋକମାନେ ଯେଉଁ ମତ ଦେଇଛନ୍ତି, ତାହାକୁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ମାନିବାକୁ ପଡ଼ିବ। ସେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଆହୁରି କହିଛନ୍ତି ଯେ ଗୋଟିଏ ପରିବାରରେ ଭିନ୍ନ ଭିନ୍ନ ଦଳର ଲୋକ ଥାନ୍ତି। ବର୍ଷା ତା ଦଳରେ ରହିବ ଓ ମୁଁ ମୋ ଦଳରେ ରହିବି। ବର୍ଷାର ଅଭିଜ୍ଞତା ନ ଥାଇ ପାରେ ହେଲେ ଅନୁଭବ ରହିଛି ବୋଲି ଶ୍ରୀ ବଳିଆର ସିଂ କହିଛନ୍ତି।

Leave A Reply

Your email address will not be published.