ମା’ର ଭୁଲ୍‌ ନାଁ ପାଇଁ ଚାଲିଗଲା ପୁଅ! ବିଜୁ ସ୍ବାସ୍ଥ୍ୟକାର୍ଡରେ ମିଳିଲାନି ଚିକିତ୍ସା

ଲାଞ୍ଜିଗଡ଼ : କଳହାଣ୍ଡି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ଖବର ନୂଆ ନୁହେଁ। ଗତ ଗୁରୁବାର ଦିନ ଚିକିତ୍ସା ସୁବିଧା ପାଇନଥିଲେ ଜଣେ ମହିଳା। ଯାଆଁଳା ଶିଶୁ ଜନ୍ମଦେଇ ପ୍ରାଣ ହରାଇଥିଲେ। ଶୁକ୍ରବାର ଦିନ ଆଉ ଏକ ଉଦ୍‌ବେଗଜନକ ଖବର ସାମ୍ନାକୁ ଆସିଛି। ବିଜୁ ସ୍ବାସ୍ଥ୍ୟକାର୍ଡରେ ମା’ର ନାଁ ବଦଳି ଯାଇଥିବାରୁ ଜଣେ ନାବାଳକ ଚିକିତ୍ସାରୁ ବଞ୍ଚିତ ହୋଇ ପ୍ରାଣ ହରାଇଛନ୍ତି। ଏହି ନାବାଳକ ହେଉଛନ୍ତି, ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଧଂରାଭଟା ଗାଁର ଶ୍ରବୁ ମାଝୀଙ୍କ ପୁଅ ଦୁକୁ ମାଝୀ (୧୨ବର୍ଷ)। ଶ୍ରବୁ ମାଝୀଙ୍କ ପରିବାର କହିଲେ ବାପା, ସ୍ତ୍ରୀ ଲଛମୀ, ଦୁଇ ପୁଅ ଏବଂ ଦୁଇ ଝିଅ। ପରିବାରରେ ମୋଟ ୭ ଜଣ ପ୍ରାଣୀ ରହୁଥିବା ବେଳେ କୁଲି ମଜୁରି କରି ଶ୍ରବୁ ପରିବାରର ଭରଣପୋଷଣ କରିଥା’ନ୍ତି। ମା’ଙ୍କ ମୃତ୍ୟୁପରେ ଶ୍ରବୁ ବର୍ତ୍ତମାନ ନିଜ ଗାଁ ଲାଞ୍ଜିଗଡ଼ ବ୍ଲକ୍‌ ବେନଗାଁ ପଞ୍ଚାୟତ ଧଂରାଭଟା ଗାଁକୁ ଚାଲିଆସି ଦୁଇ ବର୍ଷ ହେଲା ରହୁଛନ୍ତି। ବେନଗାଁ ପଞ୍ଚାୟତରୁ ଧଂରାଭଟା ୩ କିଲୋମିଟର ଏବଂ ବ୍ଲକ୍‌ ମୁଖ୍ୟାଳୟରୁ ୨୫ କିଲୋମିଟର ଦୂର। ଶ୍ରବୁଙ୍କ ପରିବାର ତ୍ରିଲୋଚନପୁର ପଞ୍ଚାୟତର ତୁରିଗୁଡ଼ା ଗାଁରେ ରହୁଥିବା ବେଳେ ହାତୀ ଘରକୁ ପଶି ଆଧାରକାର୍ଡ, ଭୋଟରକାର୍ଡ, ରାସନକାର୍ଡ ଏବଂ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ନଷ୍ଟ କରି ଦେଇଥିଲେ। ସେଇଥିପାଇଁ ସେମାନେ ଧଂରାଭଟା ଚାଲି ଆସିଥିଲେ। ହସଖୁସିରେ ପରିବାର ଚଳୁଥିବା ବେଳେ ବର୍ଷେ ପୂର୍ବରୁ ଶ୍ରବୁଙ୍କ ପୁଅ ଦୁକୁ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ପେଟ, ଗୋଡ଼ ଓ ମୂତ୍ରାଶୟ ଫୁଲି ରହୁଥିଲା। ଶ୍ରବୁ ମାଝୀ ପ୍ରଥମେ ପୁଅକୁ ଭବାନୀପାଟଣା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ରୋଗ ଜାଣିନପାରି ବୁର୍ଲା ସ୍ଥାନାନ୍ତର କରିଥିଲେ। ବୁର୍ଲାରୁ କଟକ ଯିବା ପାଇଁ ଡାକ୍ତର କହିଥିଲେ I ଶ୍ରବୁ ଟଙ୍କା ଯୋଗାଡ଼କରି କଟକ ଯାଇଥିଲେ। କିନ୍ତୁ, ସେଠାରେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଘରକୁ ଫେରି ଆସିଥିଲେ।

Leave A Reply

Your email address will not be published.