‘ମୁକ୍ତା ଯୋଜନାରେ ୨୪ ଲକ୍ଷ ଚଳୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ‘ମୁକ୍ତା’ (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ) ଯୋଜନାରେ ୨୪ଲକ୍ଷ ଟଙ୍କା ଚଳୁ ହୋଇଛି। ଏହି ଯୋଜନାରେ ନିର୍ମିତ ଜଳ ଅମଳ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କାର ନା ହିସାବ ମିଳୁଛି, ନା ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଉଛି। ମହିଳା ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ମୋହରା ବନାଇ ଠିକାଦାର ଓ ଯନ୍ତ୍ରୀମାନେ ମନଇଚ୍ଛା କାମ କରିଥିବା ଏହି ଅର୍ଥ ବାଟବାରଣା କରିଥିବା ଅଭିଯୋଗ ହେଉଛି, ଯାହାର ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି କରାଯାଇଛି। ବାରିପଦା ଓ ରାଇରଙ୍ଗପୁର ପୌର ପରିଷଦ ଓ କରଞ୍ଜିଆ ଓ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୦୨୦-୨୧ ଆର୍ଥିକ ବର୍ଷରେ ‘ମୁକ୍ତା’ ଯୋଜନାରେ ୧୬୬ଟି ଜଳ ଅମଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ରାଜନୈତିକ ଚାପରେ ଓ ଠିକାଦାର, ଯନ୍ତ୍ରୀଙ୍କ ସୁପାରିସରେ ବିଭିନ୍ନ ଏସ୍‌ଏଚ୍‌ଜିଗୁଡ଼ିକୁ ମନଇଚ୍ଛା କାମ ବାଣ୍ଟି ଦିଆଗଲା। ସେହି ସମୟରେ ପୌର ପରିଷଦ ଭଙ୍ଗା ହୋଇଥିବାରୁ ପ୍ରତିବାଦ କରିବାକୁ କେହି ନଥିଲେ। ଏହାର ସୁଯୋଗରେ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମୋହରା ବନାଗଲା। ଯନ୍ତ୍ରୀ ଓ ଠିକାଦାରମାନେ ଜଳ ଅମଳ ପ୍ରକଳ୍ପ ବାବଦରେ ଜନସାଧାରଣଙ୍କୁ କୌଣସି ସୂଚନା ନଦେଇ ‌ଯେଉଁଠି ଇଚ୍ଛା ସେଠି କାମ କଲେ। ଅନେକ ସ୍ଥାନରେ କାମ କରା ବି ଯାଇନି। ତଥାପି ବିଲ୍‌ ଉଠାଇନେଲେ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ବାରିପଦା ତକତପୁର ସରକାରୀ ଆଇଟିଆଇ ପରିସରସ୍ଥ ପ୍ରକଳ୍ପ। ୧ ଲକ୍ଷ ୯୬ ହଜାର ଟଙ୍କା ଖର୍ଚ୍ଚରେ ଏହି ଜଳ ଅମଳ ପ୍ରକଳ୍ପ ତିଆରି ହୋଇଥିଲେ ବି ଏହାଦିନେ ବି କାମରେ ଲାଗିନି। ଏବେ ଏହି ପ୍ରକଳ୍ପ ମାଟିରେ ମିଶିବାକୁ ବସିଛି। ଏଠାରେ କାହିଁକି ପ୍ରକଳ୍ପ ନିର୍ମାଣ ହେଲା, ଏହାଦ୍ବାରା କିଏ ଉପକୃତ ହୋଇଥାନ୍ତେ; ସେ କଥା କେହି ଜାଣନ୍ତିନି। ବାରିପଦା, ରାଇରଙ୍ଗପୁର, ଉଦଳା ଓ କରଞ୍ଜିଆ ସହରାଞ୍ଚଳରେ ବିଭିନ୍ନ ଅଞ୍ଚଳରେ ଏମିତି କାମ ସବୁ କରାଯାଇଛି।

Leave A Reply

Your email address will not be published.