ଜଙ୍ଗଲ ଭିତରେ ସନ୍ତାନ ପ୍ରସବ

କାମାକ୍ଷାନଗର : ଗାଁକୁ ଭଲ ରାସ୍ତା ନାହିଁ। ରବିବାର ଦିନ ଜଣେ ପ୍ରସୂତିଙ୍କୁ ଷ୍ଟ୍ରେଚର୍‌ରେ ବୋହି ଦେଢ଼ କିଲୋମିଟର ବିପଜ୍ଜନକ ଖାଲପଥର ରାସ୍ତାରେ ଅଣାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଜଙ୍ଗଲ ଭିତରେ ଥିବା ଏକ ନାଳ ନିକଟରେ ମହିଳା ଜଣକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ପାଖରେ ଅଟକିଥିବା ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ଅନ୍ତର୍ଗତ କାନ୍ତୋଲ ପଞ୍ଚାୟତର ଏକୁଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକୁଲ ଗ୍ରାମର ସୁମନ୍ତ ପଧାନଙ୍କ ପତ୍ନୀ ପିଙ୍କି ପଧାନ (୨୨)ଙ୍କର ରବିବାର ସକାଳେ ଗର୍ଭଯନ୍ତ୍ରଣା ହୋଇଥିଲା। ଏ ସଂପର୍କରେ ଆଶାଦିଦି ଝୁଲଣ ଦେହୁରୀଙ୍କୁ କହିବାରୁ ସେ ତୁରନ୍ତ ପାହାଡ଼ ଉପରକୁ ଯାଇ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କାରଣ, ଗାଁରେ କି ଆଖପାଖ ଅଞ୍ଚଳରେ ମୋବାଇଲ୍‌ ନେଟ୍‌ୱାର୍କ ନାହିଁ। ସେଠାରୁ ଫୋନ୍ କରିବାପରେ ଆମ୍ବୁଲାନ୍ସ ଆସିଲା ସତ, କିନ୍ତୁ ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଗ୍ରାମଠାରୁ ଦେଢ଼ କିଲୋମିଟର ଦୂରରେ ଅଟକି ରହିଥିଲା। ପରିବାର ଲୋକ ବାଧ୍ୟହୋଇ ପିଙ୍କିଙ୍କୁ ଏକ ଷ୍ଟ୍ରେଚର୍‌ରେ ବୋହି ଦେଢ଼ କିମି ଦୂର ଖାଲଖମା, ପଥୁରିଆ ରାସ୍ତାରେ ଆଣିଥିଲେ। ପରେ ପିଛୁଳି ନାଳ ପାଖରେ ପିଙ୍କି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ଉଭୟ ମା’ ଓ ଶିଶୁଙ୍କୁ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ଜଣାଯାଇଛି।

Leave A Reply

Your email address will not be published.