ଆତଙ୍କ ସୃଷ୍ଟି କଲାଣି ଚର୍ମବିଣ୍ଡି ରୋଗ

ଭୁବନେଶ୍ବର : ଗୋରୁଗାଈଙ୍କଠାରେ ଚର୍ମବିଣ୍ଡି ରୋଗ ବ୍ୟାପିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି ଏହି ଭୂତାଣୁଜନିତ ରୋଗ। କିଛି ଦିନ ମଧ୍ୟରେ ରାଜ୍ୟର ୧୦ ହଜାର ୪୭ ଗାଈଗୋରୁଙ୍କ ଶରୀରରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଦେଖାଦେଇଛି। ଏହି ରୋଗ ଏକ ଭୂତାଣୁଜନିତ ସଂକ୍ରାମକ ରୋଗ। ଏହାର ବାହକ ମଶା, ଡାଆଁସ ଓ ଟିଙ୍କ। ଘା’, ରକ୍ତ, ଲାଳ, ସିଙ୍ଘାଣି ଓ ଶୁକ୍ର ଦ୍ବାରା ଏହି ରୋଗ ଗୋଟିଏ ପଶୁର ଶରୀରରୁ ଅନ୍ୟ ପଶୁକୁ ସଂକ୍ରମିତ ହୋଇଥାଏ। ରୋଗ ହେବା ଦ୍ବାରା ଗୋରୁଗାଈଙ୍କ ମୁଣ୍ଡ, ବେକ, ଗୋଡ଼ ଓ ପହ୍ନାରେ ଆବୁ ବାହାରୁଛି। ଆବୁଗୁଡ଼ିକ ଫାଟି ଘା’ ସୃଷ୍ଟି କରିବା ସହ ଆକ୍ରାନ୍ତ ଗୋରୁଗାଈ ଜ୍ବରରେ ପଡ଼ବା ଓ ଚାଲିବାରେ କଷ୍ଟ ଅନୁଭବ କରିଥା’ନ୍ତି। ଏଥିରେ ଗୋରୁଗାଈଙ୍କ ମୃତ୍ୟୁ ହେଉ ନଥିଲେ ମଧ୍ୟ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ସେପଟେ ରୋଗ ବିଭିନ୍ନ ଜିଲ୍ଲାକୁ ବ୍ୟାପିବା ପରେ ନିରାକରଣ ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ୫୪୧ ପ୍ରାଣୀ ଚିକିତ୍ସାଳୟ, ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ଓ ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍‌ ମାଧ୍ୟମ‌ରେ ଆକ୍ରାନ୍ତ ଗାଈଗୋରୁଙ୍କ ଚିକିତ୍ସା ହେଉଛି। ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ‘ଗୋଟ ପୋକ୍ସ ଭାକ୍ସିନ୍‌’ ମାଧ୍ୟମରେ ଗାଈଗୋରୁଙ୍କ ଟିକାକରଣ କରାଯାଉଛି। ଏବେ ସୁଦ୍ଧା ୪୮୩୭ ଗୋରୁଗାଈ ଆରୋଗ୍ୟ ଲାଭ କରିଛନ୍ତି। ଗତକାଲି ୬୨୬ ଗୋରୁଗାଈ ଆରୋଗ୍ୟ ଲାଭ କରିଥିବା ବେଳେ ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୧୦ ତାରିଖରେ ୬୭ ହଜାର ୪୦୦ ଗାଈଗୋରୁଙ୍କ ଟିକାକରଣ ହୋଇଛି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟର ୬ଲକ୍ଷ ୩୨ ହଜାର ୮୦୦ ଗୋରୁଗାଈଙ୍କ ଟିକାକରଣ ସରିଛି। ଏହି ଭୂତା‌ଣୁ ଯେପରି ଅଧିକ ନ ବ୍ୟାପିବ, ସେଥିପାଇଁ ବାଲେଶ୍ବର, ବରଗଡ଼, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ପରି ସୀମାନ୍ତ ଜିଲ୍ଲାଗୁଡ଼ିକରେ ‌ଗାଈଗୋରୁଙ୍କ ଅନ୍ତଃରାଜ୍ୟ ନେବା ଆଣିବା ଉପରେ ରୋକ୍‌ ଲଗାଯାଇଛି। ସାରା ରାଜ୍ୟରେ ଗୋରୁଗାଈଙ୍କ ପ୍ରଦର୍ଶନୀ ମେଳା ଓ ଗୋରୁ ହାଟ ବନ୍ଦ କରାଯାଇଛି।

Leave A Reply

Your email address will not be published.