‘କଂଗ୍ରେସ ଡିଲ୍‌’ ନିଆଁ ଜଳିଲା

 ପଦ୍ମପୁର ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ଏବଂ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇବା ପଛରେ ବିଜେଡି ଓ କଂଗ୍ରେସର ଡିଲ୍‌ ହୋଇଥିଲା ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁ ଅଭିଯୋଗ ଆଣିଥିଲେ, ତାହା ଏବେ କୁହୁଳି କୁହୁଳି ଜଳିବା ଆରମ୍ଭ କଲାଣି। କଂଗ୍ରେସ ଓ ବିଜେଡି ମଧ୍ୟରେ ଡିଲ୍ ହୋଇଥିବା ସତ ବୋଲି ବିଧାୟକ ସୁର ରାଉତରାୟ କହିବା ପରେ କଂଗ୍ରେସ ଏବେ ଅକଳରେ ପଡ଼ିଯାଇଛି। ସ୍ଥିତି ଗମ୍ଭୀର ଆଡ଼କୁ ଯାଉଥିବା ଲକ୍ଷ୍ୟ କରି ଆଜି ପିସିସି ସଭାପତି ଶରତ ପଟ୍ଟନା‌ୟକ ସାମ୍ନାକୁ ଆସିବା ସହିତ ଉଭୟ ଦଳୀୟ ନେତା ଏବଂ ବିରୋଧୀଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। କହିଛନ୍ତି ଯେ ‌ଯଦି ମୁଁ ବିଜେଡି ପାଖରେ ବିକ୍ରି ହୋଇଯାଇଛି ବୋଲି କେହି ପ୍ରମାଣ ଦେବେ ତେବେ ମୁଁ ସବୁଦିନ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି। ଏଥିସହିତ ଦଳୀୟ ନେତାମାନଙ୍କୁ ଶୃଙ୍ଖଳାର ସୀମା ସଂପର୍କରେ ସତର୍କ କରାଇ ଦେବାକୁ ସେ ଭୁଲି ନାହାନ୍ତି। ଏହି ପ୍ରସଙ୍ଗଟି ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ ଯେ ପଦ୍ମପୁରରେ ଜିତିବା ପାଇଁ ଭୁବନେଶ୍ବରରେ ଡିଲ୍‌ ହୋଇଥିଲା। ବିଜେଡି ଏହି ଡିଲ୍‌ କରିଥିଲା। ସମ୍ପୂର୍ଣ୍ଣ ଭୋଟ୍‌ ବିଜେଡିକୁ ଟ୍ରାନ୍ସଫର ପାଇଁ କଂଗ୍ରେସ ନେତୃତ୍ବ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ପଦ୍ମପୁର ଯାଇଥିଲେ। ଶ୍ରୀ ମିଶ୍ରଙ୍କ ଏହି ବିସ୍ଫୋରକ ବୟାନ କଂଗ୍ରେସ ଶିବିରରେ ନିଆଁ ଲଗାଇ ଦେଇଥିଲା। ଜୟନାରାୟଣଙ୍କ ମନ୍ତବ୍ୟକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ସମର୍ଥନ ଦେବା ପରେ ପ୍ରସଙ୍ଗଟି ଅଧିକ ଜଟିଳ ରୂପ ଧାରଣ କରିଛି। ସୁର କହିଛନ୍ତି ଯେ ପଦ୍ମପୁରରେ ହାରିବା ପାଇଁ ଆମରି ଦଳ ଲୋକ ଡିଲ୍ କରିଥିଲେ। ଏହା ପୂରା ସ୍ପଷ୍ଟ। କିନ୍ତୁ ଏଥିରେ ସଭାପତିଙ୍କର କୌଣସି ଭୂମିକା ନାହିଁ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦେହାନ୍ତ ପରେ ଯେତେ ସଭାପତି ହୋଇଛନ୍ତି, ଏବେ ଆମର ମୁଣ୍ଡି ବୋଲି ଯେତେ ନେତା ପରିଚୟ ଦେଉଛନ୍ତି, ଯେଉଁମାନେ କଂଗ୍ରେସକୁ ଉପଭୋଗ କରିଛନ୍ତି ଓ କଂଗ୍ରେସ ଜରିଆରେ ଅର୍ଥ ଉପାର୍ଜନ କରିଛନ୍ତି, ସେମାନେ ହିଁ କଂଗ୍ରେସକୁ ହରାଉଛନ୍ତି।

Leave A Reply

Your email address will not be published.