ଡ୍ରାଇଭରଙ୍କ ମହାନତା: ସୁନା ବନ୍ଧକ ଦେଇ ତିଆରି କଲେ ପୋଲ

ରାୟଗଡ଼ା : ବୃତ୍ତିରେ ଡ୍ରାଇଭର। ଦିନଟିଏ କାମକୁ ନ ଗଲେ ଘରେ ଚୁଲି ଜଳେନି। ମୁଣ୍ଡ ଉପରେ ବୃଦ୍ଧ ବାପା, ମା’ଙ୍କ ସହ ପତ୍ନୀ ଓ ପିଲାଛୁଆଙ୍କ ବୋଝ। ଗରିବୀର କଷାଘାତ ସତ୍ତ୍ବେ ନିଜ ଗାଁର ଦୁଃଖ ଦୂର ପାଇଁ ବୃତ୍ତି ଛାଡ଼ି ପତ୍ନୀଙ୍କ ସୁନା ବନ୍ଧକ ଦେଇ ନଦୀ ଉପରେ ୩ଟି ଅସ୍ଥାୟୀ ପୋଲ ଓ ୪ କିମି ରାସ୍ତା ନିର୍ମାଣ କରି ଅଞ୍ଚଳବାସୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମର ରଞ୍ଜିତ ନାଏକ। ଅସ୍ଥାୟୀ ପୋଲ ଏବଂ ରାସ୍ତା ନିର୍ମାଣ ପରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସହ ଯୋଡ଼ି ହୋଇଛି ରାୟଗଡ଼ା। ଏଥିସହିତ କାଶୀପୁର ବ୍ଲକ୍‌ର ୮ଖଣ୍ଡ ଗ୍ରାମବାସୀ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି। କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମରେ ବସବାସ କରୁଛନ୍ତି ୧୨୦ ପରିବାର। ଗାଁକୁ ଲାଗି ବହିଯାଉଛି ବିଛଳା ନଦୀ। ପାହାଡ଼ିଆ ଅଞ୍ଚଳରେ ଥିବା ନଦୀରେ ବର୍ଷତମାମ ପାଣି ରହୁଥିବାରୁ ଯାତାୟାତରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନର ଦ୍ବାରସ୍ଥ ହେବାପରେ କିଛିବର୍ଷ ତଳେ ମନରେଗା ଯୋଜନାରେ ନଦୀ ଉପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବାରୁ ଲୋକଙ୍କ ଦୁଃଖ ପାଲଟିଥିଲା ବିଛଳା ନଦୀ। ନଦୀ ଯୋଗୁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ, ଡାକ୍ତରଖାନା, ସ୍କୁଲକୁ ନିୟମିତ ଭାବେ ଯାଇ ପାରୁନଥିଲେ। ବର୍ଷା ଦିନେ ଗ୍ରାମବାସୀ ସଂପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲେ। ଗ୍ରାମର ଯୁବକ ରଞ୍ଜିତ ନାଏକ ଡ୍ରାଇଭର ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ କାମ ସାରି ଘରକୁ ଫେରିବା ବେଳେ ନଦୀ ପାଇଁ ହଇରାଣ ହରକତ ହେଉଥିଲେ। ପ୍ରଶାସନ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେଉନଥିବାରୁ ବର୍ଷା କମିବା ପରେ ନିଜ ଉଦ୍ୟମରେ ପୋଲ ନିର୍ମାଣ କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ତାଙ୍କୁ ଡ୍ରାଇଭର କାମରୁ ଅବ୍ୟାହତି ନେବାକୁ ପଡିଥିଲା। ନଦୀର ୩ଟି ସ୍ଥାନରେ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ରଞ୍ଜିତ ଯୋଜନା କରି ବାପାଙ୍କ ସହଯୋଗରେ ବାଉଁଶ ଓ କାଠ ସଂଗ୍ରହ ଆରମ୍ଭ କରିଥିଲେ। ଆବଶ୍ୟକ କାଠ ଓ ବାଉଁଶ ନ ମିଳିବା ପରେ ରଞ୍ଜିତ ନିଜ ପତ୍ନୀଙ୍କ ସୁନାକୁ ବନ୍ଧକ ଦେଇ ୭୦ ହଜାର ଟଙ୍କାର କାଠ ଓ ବାଉଁଶ କିଣିଥିଲେ। ଏହାପରେ ବାପା, ପୁଅ ମିଶି ନଦୀ ଉପରେ ଆରମ୍ଭ କରିଥିଲେ ପୋଲ ନିର୍ମାଣ।

Leave A Reply

Your email address will not be published.