କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣ

ଦାନଗଦୀ: ଇସ୍ପାତ ରାଜଧାନୀ କଳିଙ୍ଗନଗର ଚାରିପାଖରେ ଥିବା ଜନବସତି ଏବେ ପ୍ରଦୂଷଣ ବଳୟରେ। ଲୋକମାନେ ଧୂଳିଧୂଆଁଜନିତ ବିଭିନ୍ନ ରୋଗବ୍ୟାଧିରେ ପଡ଼ି ଅକାଳ ମୃତ୍ୟୁମୁଖରେ ପଡୁଛନ୍ତି। ସୁକିନ୍ଦା ରୋଡ୍‌ ରେଳ ସାଇଡିଂକୁ ଲାଗିଥବା ସୁଆଁଲ ଗାଁର ଚିତ୍ର ଦେଖିବା ପରେ ଶିଳ୍ପାୟନର ପାର୍ଶ୍ବ ପ୍ରତିକ୍ରିୟା କେତେ ଭୟଙ୍କର ତାହା ଅନୁମାନ କରାଯାଇପାରେ। ପୂରା ଗାଁରେ ଅସୁସ୍ଥ ରୋଗା ଲୋକଙ୍କ ସଂଖ୍ୟା ଅଧିକ। ଦାନଗଦୀ ବ୍ଲକ କାର୍ଯ୍ୟାଳୟ ପାଖରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ଏହି ଗାଁ। ଏହି ଗାଁର ଗୁଳାସାହିରେ ରହନ୍ତି ନିତ୍ୟାନନ୍ଦ ନାୟକ (୫୬)। ସେ ଏବେ ଗୁରୁତର ଅସୁସ୍ଥ। ଚାଲିବାକୁ ବଳ ନାହଁ। କାମ କରିପାରୁ ନଥିବାରୁ ରୋଜଗାର ନାହିଁ। ବଟିକାଟିଏ ଖାଇବାକୁ ମିଳୁନାହିଁ। ଘର ଚଳାଇବାକୁ ଅକ୍ଷମ। ସାହିର ଯକ୍ଷ୍ମାରୋଗୀ କାହ୍ନୁ ନାୟକ (୪୪)। ଦୁଇ ପୁଅ ଓ ତିନି ଝିଅ ତାଙ୍କର। ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଦୁର୍ବଳ ହୋଇପଡ଼ିଛନ୍ତି। କାମ କରିବାକୁ ଅକ୍ଷମ। ପଟ୍ଟା ଅଛି, ଆବାସ ଯୋଜନାରେ ଘରଟିଏ ନାହିଁ। ଜରିପାଲ ପକା ନୁଆଁଣିଆ ଚାଳଘର ଆଶ୍ରା ପାଲଟିଛି।

Leave A Reply

Your email address will not be published.