ବଡ଼ଦାଣ୍ଡ ଟ୍ରାଫିକ ଯନ୍ତ୍ରଣା: ଛୁଟିଦିନରେ ବଢ଼ୁଛି ଚିନ୍ତା

ପୁରୀ : ଅସହ୍ୟ ହେଲାଣି ବଡ଼ଦାଣ୍ଡ ଟ୍ରାଫିକ ଯନ୍ତ୍ରଣା। ରାତି ପାହିଲେ ଘାରୁଛି ଟ୍ରାଫିକର କଷଣ। ଛୁଟିଦିନ ଆସିଲେ ଏହି କଷଣ ଆହୁରି ଦ୍ବିଗୁଣିତ ହୋଇଯାଉଛି। ଘରୁ ବାହାରିଲେ ପାଖ ଗଳିକୁ ଯିବାକୁ ବି କଷ୍ଟକର ହୋଇପଡ଼ୁଛି। ବଡ଼ଦାଣ୍ଡର ଏହି ସମସ୍ୟାବହୁ ଦିନ ଧରି ଲାଗି ରହିଥିଲେ ବି ସ୍ଥିତି ସୁଧୁରି ପାରୁନି। ଦୈନିକ ଟ୍ରାଫିକ ଯନ୍ତ୍ରଣାରେ ପେଷି ହେଉଛନ୍ତି ଭକ୍ତ ଓ ଅଞ୍ଚଳବାସୀ। ଛୁଟିଦିନ ଆସିଲେ ଚିନ୍ତା ଆହୁରି ବଢ଼ିଯାଉଛି। ମାର୍କେଟ୍‌ ଛକରୁ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ବର ଥିବା ସାହି ରାସ୍ତାରେ ଯା’ଆସ ବେଳେ ଲୋକେ ବେଦମ୍‌ ହୋଇପଡ଼ୁଛନ୍ତି। ବଡ଼ ବଡ଼ ବସ୍‌, ଅଟୋ ଓ ଉଠା ଦୋକାନୀମାନେରାସ୍ତାକୁ ମାଡ଼ି ବସିଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ବଡ଼ ବଡ଼ ପଦାଧିକାରୀମାନେ ଆଖି ଆଗରେ ଲୋକଙ୍କ ଏହି ଯନ୍ତ୍ରଣା ଦେଖୁଛନ୍ତି, ତଥାପି ନିରବ ରହୁଛନ୍ତି। ଜିଲ୍ଲାପାଳ, ଏସପିଙ୍କ ଏଥିପ୍ରତି ଦୃଷ୍ଟି ପଡ଼ୁନାର୍ହି। ପୌର କର୍ତ୍ତୃପକ୍ଷ ବି ଚୁପ୍‌।ଗତକାଲି ଥିଲା ସପ୍ତାହର ଦ୍ବିତୀୟ ଶନିବାର ଓ ରବିବାର। ଏଥିପାଇଁ ଗତ ଶୁକ୍ରବାର ରାତିରୁ ହିଁ ପୁରୀ ସହରରେ ଭିଡ଼ ଆରମ୍ଭ ହୋଇ ଯାଇଥିଲା। ଲକ୍ଷାଧିକ ପର୍ଯ୍ୟଟକ ପୁରୀ ସହରରେ ଭିଡ଼ ଲଗାଇଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ, ସ୍ବର୍ଣ୍ଣାଭ ବେଳାଭୂମିରେ ସମୁଦ୍ର ସ୍ନାନର ମଜା ନେବାକୁ ଆସିଥିଲେ। ଏଥିପାଇଁ ଶନିବାର ଓ ରବିବାର ଉଭୟ ଶ୍ରୀମନ୍ଦିର ଓ ବେଳାଭୂମିରେ ଅସମ୍ଭାଳ ଭିଡ଼ ସହ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ଶହେ ଫୁଟିଆ ବଡ଼ଦାଣ୍ଡରେ ଯା’ଆସ ପାଇଁ ବଳିଥିବା ମାତ୍ର ୧୦ ଫୁଟ ରାସ୍ତାରେ ଲୋକେ କଲବଲ ହୋଇଥିଲେ। ଦୁଇଚକିଆ ତ ଦୂରର କଥା ଚାଲିଚାଲି ଯିବା ବି କାଠିକର ଥିଲା।

Leave A Reply

Your email address will not be published.