୩ ଦିନ ପରେ ପୁଣି ପାରଦ ଖସିବ, ଶୀତ ବଢ଼ିବ

ଭୁବନେଶ୍ବର : ୩ ଦିନ ପରେ ପୁଣି ପାରଦ ଖସିବ ଓ ଶୀତ ବଢ଼ିବ। ବାତ୍ୟା ମାଣ୍ଡୋସ୍‌ ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇଯାଇଛି। ତେଣୁ ଶୀତ କମିଛି। ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବା ପରେ ପୁଣି ଶୀତ ଫେରିବ। ତାପମାତ୍ରା ପାଖାପାଖି ୩ ଡିଗ୍ରି ଯାଏ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର କହିଛି, ମାଣ୍ଡୋସ୍‌ ରବିବାର ଦିନ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ ଉତ୍ତର କେରଳ ପାଖାପାଖି ଏହା ଆହୁରି ଅସ୍ପଷ୍ଟ ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସେହି ସମାନ ଅଞ୍ଚଳରେ ରହିଥିବା ବେଳେ ସମୁଦ୍ର ପତ୍ତନଠାରୁ ୫.୮ କିମି ଯାଏ ପରିବ୍ୟାପ୍ତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଆସନ୍ତା ୧୩ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭାରତ ଉପକୂଳରୁ ଦୂରେଇଯିବ। ତେଣୁ ଓଡ଼ିଶା କିମ୍ବା ଭାରତ ଉପ‌ରେ ଏହାର ପ୍ରଭାବ ପଡ଼ିବ ନାହିଁ।

Leave A Reply

Your email address will not be published.