କଟକର ୱେବ୍ ଚ୍ୟାନେଲ୍‌ ସାମ୍ବାଦିକ ନୟାଗଡ଼ରେ ନିଖୋଜ

କଟକ : କଟକ ସତୀଚଉରା ଅଞ୍ଚଳର ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଗଲା ୯ଦିନ ହେବ ନୟାଗଡ଼ ଯାଇ ଆଉ ଫେରିନାହାନ୍ତି। ଏହି ସାମ୍ବାଦିକ ଜଣକ ହେଉଛନ୍ତି ଶୈଳେନ୍ଦ୍ରନାଥ ଜେନା। ନୟାଗଡ଼ର ଜଣେ ଦହିବରା ବ୍ୟବସାୟୀଙ୍କ ସହିତ ଦୀର୍ଘଦିନ ଧରି ଶତ୍ରୁତା ଲାଗି ରହିଥିବାରୁ ନିଖୋଜ ପଛରେ ଏହି ବ୍ୟବସାୟୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ତାଙ୍କ ନିଖୋଜକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଉଭୟ କମିସନରେଟ୍ ଓ ନୟାଗଡ଼ ଥାନା ପୁଲିସ ଏ ନେଇ ମୁହଁ ଖୋଲୁନାହାନ୍ତି। ସତୀଚଉରା ମହାନ୍ତିପଡ଼ା ଲେନ୍‌ରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ଦୋଳଗୋବିନ୍ଦ ଜେନାଙ୍କ ପୁଅ ଶୈଳେନ୍ଦ୍ରନାଥ ଜେନା(୪୦) ଏକ ୱେବ୍‌ ଚ୍ୟାନେଲ୍‌ରେ ସାମ୍ବାଦିକତା କରୁଛନ୍ତି। ସାମାଜିକ କର୍ମୀ ଭାବେ ମଧ୍ୟ ସେ ସକ୍ରିୟ ଅଛନ୍ତି। ସୂଚନା ଅନୁସ‌ାରେ, ଗଲା ୩ ତାରିଖ ଅପରାହ୍ନ ପ୍ରାୟ ୫ଟା ୩୦ ବେଳେ ଶୈଳେନ୍ଦ୍ର ତାଙ୍କର ଜଣେ ବନ୍ଧୁ ଜୟପ୍ରକାଶ ସାହୁଙ୍କୁ ନେଇ ଏକ ମୋଟର୍‌ ସାଇକେଲ୍‌ରେ ନୟାଗଡ଼ ମହିପୁର ଅଞ୍ଚଳର ଦହିବରା ବ୍ୟବସାୟୀ ଦୀପୁ ସାହୁଙ୍କ ଘରକୁ ଯାଇଥିଲେ। ସେଠାରେ ପହଞ୍ଚି ଶୈଳେନ୍ଦ୍ର ତାଙ୍କ ଘର ଭିତରକୁ ଯାଇଥିଲେ। ଜୟପ୍ରକାଶ ତାଙ୍କୁ ଛାଡ଼ିଦେଇ ମହିପୁର ସରକାରୀ ଡାକ୍ତରଖାନା ନିକଟରେ ଅପେକ୍ଷା କରିଥିଲେ। ମାତ୍ର, ଶୈଳେନ୍ଦ୍ର ଆଉ ଫେରି ନଥିଲେ। ରାତି ପ୍ରାୟ ଗୋଟାଏ ଯାଏ ଅପେକ୍ଷା କରି ନିରାଶ ହେବାପରେ ସେ ରାତି ୩ଟା ବେଳେ ବାହାରି କଟକରେ ଭୋର ୫ଟା ୩୦ରେ ପହଞ୍ଚିଥିଲେ। ଏହାପରେ, ଶୈଳେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ଶୈଳେନ୍ଦ୍ରଙ୍କ ପରିବାର ୪ ତାରିଖରେ ଲାଲବାଗ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଗୋଟିଏପଟେ ଲାଲବାଗ ଥାନା ପୁଲିସ ନିଖୋଜ ମାମଲା କରିଥିବା ବେଳେ ନୂଆଗାଁ ଥାନା ପୁଲିସ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଜୟପ୍ରକାଶ ମଧ୍ୟ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଛନ୍ତି, ଯିଏକି ଭୁବନେଶ୍ବରରେ ଏକ ଘରୋଇ ସୁରକ୍ଷା ସଂସ୍ଥାରେ ସୁପରଭାଇଜର୍ ଭାବେ କାମ କରୁଛନ୍ତି।

Leave A Reply

Your email address will not be published.