ହସ୍ପିଟାଲ ଛାତରୁ ଖସିଲା ସିମେଣ୍ଟ ପ୍ଲାଷ୍ଟର 

ବଲାଙ୍ଗିର : ହସ୍ପିଟାଲ ଛାତରୁ ଖସିଲା ସିମେଣ୍ଟ ପ୍ଲାଷ୍ଟର । ହେଲେ ଅଳ୍ପକେ ବର୍ତ୍ତିଲେ ଚିକିତ୍ସାଧୀନ ରୋଗୀ । ଏପରି ଅଘଟଣ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଗତକାଲି ଘଟିଛି। ଏହାକୁ ନେଇ ରୋଗୀମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  ହସପିଟାଲର ସର୍ଜରୀ ବିଭାଗର ମହିଳା ଓ୍ୱାର୍ଡରେ ବହୁ ରୋଗୀ ଭର୍ତ୍ତି ହୋଇଛନ୍ତି। ରୋଗୀଙ୍କ ନିକଟରେ ତାଙ୍କ ସମ୍ପର୍କୀୟ ବି ଅଛନ୍ତି। ଏପରି ସମୟରେ ଗତକାଲି ହଠାତ୍‌ ୧୦୫ ନମ୍ବର ବେଡ୍‌ ନିକଟରେ ହଠାତ ଛାତର ସିମେଣ୍ଟ ଅତଡା ଖସି ଯାଇଥିଲା । ଫଳରେ ସିଲିଂ ମଧ୍ୟ ତଳକୁ ଖସି ପଡିଥିଲା । ସିମେଣ୍ଟ ଅତଡ଼ା ୩ ଜଣ ରୋଗୀଙ୍କ ବେଡର ମଧ୍ୟ ଭାଗରେ ଖସିପଡିଥିବାରୁ ରୋଗୀ କିମ୍ବା ଆଟେଣ୍ଡାଣ୍ଟ୍ କାହାରି କିଛି ଅଘଟଣ ଘଟିନଥିଲା ।ସିମେଣ୍ଟ ଅତଡା ଖସି ପଡିବା ପରେ ସର୍ଜରୀ ଓ୍ୱାର୍ଡର ରୋଗୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ ସିମେଣ୍ଟ ଅତଡା ପଡିଥିବା କଠୋରୀରେ ତାଲା ପକାଇ ଦେଇଛନ୍ତି। ସେହି ଓ୍ୱାର୍ଡରେ ଥିବା ରୋଗୀଙ୍କୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଦୀର୍ଘ ଦିନର ପୁରୁଣା କୋଠାକୁ, ମେଡିକାଲ କଲେଜ ହସପିଟାଲ ଭାବରେ ବ୍ୟବହାର କରାଯାଉଥିବାରୁ  ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି।  ସାମାନ୍ୟ ମରାମତି କରି ସିଲିଂ ଲଗାଯାଇଥିବାରୁ ତାହା ବାରମ୍ବାର ଖସି ପଡୁଛି। ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।ବଡ଼ ହସ୍ପିଟାଲ ହୋଇଥିବାରୁ ଏଠାରେ ଚିକିତ୍ସିତ ହୋଇ ଭଲ ହେବାକୁ ଆସିଛୁ। ହେଲେ ପୁଣି ଥରେ ଏଠାରେ ଗୁରୁତର  ହେଲେ ଆମର ଲାଭ କ’ଣ ବୋଲି କହିଛନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟ।  

Leave A Reply

Your email address will not be published.