ଟ୍ୱିନ ସିଟିରେ ଘନ କୁହୁଡ଼ି, ବିମାନ ଚଳାଚଳ ବିଳମ୍ବ

ଭୁବନେଶ୍ୱର : ଆଜି ସକାଳୁ ଟ୍ୱିନ ସିଟିରେ ଆଚ୍ଛାଦିତ ହୋଇ ରହିଛି ଘନ କୁହୁଡ଼ି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା  ଦୀର୍ଘ ସମୟ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଏଥିଯୋଗୁ ବିମାନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି।ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ପାରଦ ଏବେ ତଳମୁହାଁ ଥିବା ବେଳେ ଆଜି କୁହୁଡି ଲୋକଙ୍କୁ କଲବଲ କରି ଦେଇଛି ।ଆସନ୍ତା ୪ଦିନ ଭିତରେ ଦୁଇରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଶୀତ ଅନୁଭୂତ ହେବ । ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସଂଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଭୁବନେଶ୍ୱର ବିମାନବନ୍ଦରରେ ୪ ବିମାନ ଅବତରଣ ବିଳମ୍ବିତ  ହୋଇଛି ।  ବିମାନବନ୍ଦର ଅଂଚଳରେ ମାତ୍ର ୧୨ଶହ ମିଟର ଯାଏଁ ଭିଜିବିଲିଟି ଥିବାରୁ ବିମାନ ଚଳାଚଳ ବିଳମ୍ବିତ ହେଉଛି  । କୁହୁଡ଼ି ଯୋଗୁ ଭୁବନେଶ୍ୱରରୁ ଛାଡିବାକୁ ଥିବା ବିମାନ ମଧ୍ୟ ବିଳମ୍ବ ହେଉଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.