ବିବାହ ଦିନ ଘଟିଥିବା ଏହି ଘଟଣା ହେତୁ ବରଙ୍କ ପରିବାରରେ ପ୍ରତିଦିନ ଜଣେ ଲେଖାଏଁ ସଦସ୍ୟଙ୍କ ହେଉଛି ମୃତ୍ୟୁ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ହୋଇଥିବା ବଡ଼ଧରଣର ସିଲିଣ୍ଡର ବିସ୍ଫୋରଣରେ ଏଯାବତ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ବର ସୁରେନ୍ଦ୍ର ସିଂହଙ୍କ ବାପା ଓ ମା’ଙ୍କ ସମେତ ଅନେକ ସମ୍ପର୍କୀୟ ବି ରହିଛନ୍ତି। ଏହି ବିସ୍ଫୋରଣର ଶିକାର ହୋଇ ଅନେକ ଗୁରୁତର ଆହତ ଏବେ ବି ହସ୍ପିଟାଲ ବିଛଣାରେ ଜୀବନ ଓ ମରଣ ସହ କରୁଛନ୍ତି ସଂଘର୍ଷ। ଗତ ଗୁରୁବାର ବିଜୟ ସିଂହଙ୍କ ସାନ ଝିଅଙ୍କ ବିବାହ ପାଇଁ ବରଯାତ୍ରୀ ଶେରଗଡର ଭୁଙ୍ଗରା ଗ୍ରାମରୁ ଆସିବାର ଥିଲା। ତେବେ ଏଠାରେ ବିବାହ ପାଇଁ ଜୋର‌ସୋର ପ୍ରସ୍ତୁତି ଚାଲିଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ହୋଇଯାଇଥିଲା। ଏହି ଦୁର୍ଘଟଣା ଯୋଗୁଁ ୬୦ ଜଣ ନିଆଁରେ ଜଳି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ। ୫୨ଜଣ ପୀଡିତାଙ୍କୁ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ବର ସୁରେନ୍ଦ୍ର ସିଂହ କାନ୍ଦିକାନ୍ଦି କହିଛନ୍ତି, ‘ବିବାହ ସମୟରେ ଚାରିଆଡେ ଖୁସିର ମହଲ ଥିବା ବେଳେ ହଠାତ ଏମିତି ଏକ ଘଟଣା ଘଟିଯିବ, ତାହାକୁ କେହି ବି ଭାବି ନଥିଲେ। ଏହି ଘଟଣା ପାଇଁ ମୁଁ ପ୍ରତିଦିନ ମୋର ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ହରାଇ ଦେଉଛି। ଫୋନ ବାଜିଲେ ଭୟ ଲାଗୁଛି। କିଛି ଦୁଃଖ ସମ୍ବାଦ ନଥାଉ ବୋଲି ଭଗବାନଙ୍କୁ ଡାକି ଫୋନ ଉଠାଇବାକୁ ପଡ଼ୁଛି। ଦୁର୍ଘଟଣାରେ ମୁଁ ମୋର ବାପା, ମା’, ଭଉଣୀ, ଭଣଜା, ଭାଣିଜୀ ସମେତ ଅନେକ ସମ୍ପର୍କୀୟଙ୍କୁ ହରାଇ ସାରିଛି।’ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସମସ୍ତ ସମ୍ଭାବ୍ୟ ଚିକିତ୍ସାର ଖର୍ଚ୍ଚ ରାଜ୍ୟସରକାର ବହନ କରିବେ ବୋଲି ଆହତଙ୍କ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ।

Leave A Reply

Your email address will not be published.