ରଣଜୀ ପଦାର୍ପଣରେ ଶତକ: ସଚିନ୍‌ଙ୍କ ସମକକ୍ଷ ହେଲେ ଅର୍ଜୁନ

ମୁମ୍ବାଇ: କଥାରେ ଅଛି ଯେମିତି ବାପା, ସେମିତି ପୁଅ। ଏଭଳି ଏକ ଲୋକକଥାକୁ ବାସ୍ତବରେ ପରିଣତ କରିଛନ୍ତି ଭାରତୀୟ କ୍ରିକେଟ୍‌ କିଂବଦନ୍ତି ସଚିନ୍‌ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର। ମା‌ଷ୍ଟର ବ୍ଲାଷ୍ଟର ସଚିନ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରେ ଛାପ ଛାଡ଼ିବା ପୂର୍ବରୁ ଘରୋଇ କ୍ରିକେଟ୍‌ର ସବୁଠୁ ସମ୍ମାନଜନକ ପ୍ରତିଯୋଗିତା ରଣଜୀ ପଦାର୍ପଣରେ ଶତକ ହାସଲ କରିଥିଲେ। ମୁମ୍ବାଇ ପକ୍ଷରୁ ରଣଜୀ ପଦାର୍ପଣ କରି ସଚିନ୍‌ ୧୯୮୮ ମସିହା ଡିସେମ୍ବର ୧୧ ତାରିଖରେ ଗୁଜରାଟ ବିପକ୍ଷରେ ଶତକ ହାସଲ କରିଥିଲେ। ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ସଚିନ୍‌ ଅପରାଜିତ ୧୦୦ ରନ୍‌ କରି ପଦାର୍ପଣ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଶତକ ହାସଲ କରିବାରେ ସର୍ବକନିଷ୍ଠ ଭାରତୀୟ ହୋଇଥିଲେ। ସେତେବେଳେ ସଚିନ୍‌ଙ୍କୁ ୧୫ ବର୍ଷ ୨୩୨ ଦିନ ବୟସ ହୋଇଥିଲା। ଏବେ ଏହାର ୩୪ ବର୍ଷ ପ‌ରେ ତାଙ୍କ ପୁଅ ଅର୍ଜୁନ ସଂଯୋଗବଶତଃ ସେହି ଡିସେମ୍ବର ମାସରେ ବାପାଙ୍କ ମାଇଲଖୁଣ୍ଟ ସମକକ୍ଷ ହୋଇଛନ୍ତି। ଚଳିତ ରଣଜୀ ଋତୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିଲା ବେଳେ ଗୋଆ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଅର୍ଜୁନ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ପଦାର୍ପଣ କରି ଦ୍ବିତୀୟ ଦିବସରେ ହିଁ ଶତକୀୟ ସଫଳତା ହାସଲ କରିଛନ୍ତି। ୨୩ ବର୍ଷ ବୟସ୍କ ଅର୍ଜୁନ ଡିସେମ୍ବର ୧୪ ତାରିଖରେ ହିଁ ରଣଜୀ ପଦାର୍ପଣରେ ବାପାଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଗୋଆ କ୍ରିକେଟ୍‌ ଆସୋସିଏସନ୍‌ ଏକାଡେମୀ ଗ୍ରାଉଣ୍ଡ୍‌ରେ ଚାଲିଥିବା ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ର ବୁଧବାର ଦ୍ବିତୀୟ ଦିବସରେ ଅର୍ଜୁନ ୧୨୦ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ୨୦୭ ବଲ୍‌ରେ ୧୬ ଚୌକା ଏବଂ ୨ ଛକା ମାରିଥିଲେ। ଗୋଆର ପଞ୍ଚମ ୱିକେଟ୍‌ର ପତନ ଘଟିବା ପରେ ସେ ସପ୍ତମ ବ୍ୟାଟର୍‌ ଭାବେ କ୍ରିଜ୍‌କୁ ଆସି ୧୭୭ ବଲ୍‌ରୁ ଶତକ ପୂରଣ କରିଥିଲେ। ଅର୍ଜୁନ ମଧ୍ୟ ଅନ୍ୟତମ ଦ୍ବିଶତକୀୟ ପାଳି ଖେଳିଥିବା ସୂୟାଶ ପ୍ରଭୂଦେଶାଇ (୨୧୨ ରନ୍‌, ୪୧୬ ବଲ୍‌, ୨୯ ଚୌକା)ଙ୍କ ସହ ଷଷ୍ଠ ୱିକେଟ୍‌ରେ ୨୨୧ ରନ୍ ଯୋଡ଼ିଥିଲେ। ଫଳରେ ଗୋଆ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ପ୍ରଥମ ପାଳିରେ ୮ ୱିକେଟ୍‌ ବିନିମୟରେ ୪୯୩ ରନ୍‌ କରିଛି। ଅର୍ଜୁନ ପୂର୍ବରୁ ମୁମ୍ବାଇ ପକ୍ଷରୁ ଧଳା ବଲ୍‌ କ୍ରିକେଟ୍‌ ଖେଳୁଥିଲା ବେଳେ ଅଧିକ ସୁଯୋଗ ଲକ୍ଷ୍ୟ ନେଇ ଗତବର୍ଷ ଗୋଆକୁ ସ୍ଥାନାନ୍ତର ହୋଇଥିଲେ ।

Leave A Reply

Your email address will not be published.