୫ ଘଣ୍ଟା ଧରି ଚାଲିଥିବା ବୈଠକରେ ରତ୍ନଭଣ୍ଡାର ବିଷୟରେ ପଦୁଟିଏ ଆଲୋଚନା ହେଲାନାହିଁ

ପୁରୀ : ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ୫ ଘଣ୍ଟା ଧରି ଚାଲିଥିବା ବୈଠକରେ ରତ୍ନଭଣ୍ଡାର ବିଷୟରେ ପଦୁଟିଏ ଆଲୋଚନା ହେଲାନାହିଁ। ବୈଠକର ନିଷ୍ପତ୍ତି ଅନୁସାରେ, ଆସନ୍ତା ୨୦୨୩ ଅପ୍ରେଲ ସୁଦ୍ଧା ଶେଷ ହେବ ଗୁଣ୍ଡିଚା ମନ୍ଦିର କଲୋମ ଓ ବିମ୍‌ ମରାମତି କାମ। ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ପ୍ରବେଶ ଉପରେ କଟକଣା ଲାଗିବ। ମୋବାଇଲ ବାରଣ ନେଇ ଛତିଶାନିଯୋଗର ନିଷ୍ପତ୍ତି ଉପରେ ପରିଚାଳନା କମିଟି ମୋହର ମାରିଛି। ନୀତି ସମ୍ବନ୍ଧୀୟ ଅପଡେଟ୍‌ ପାଇଁ ଶାଖା କାର୍ଯ୍ୟାଳୟ ଓ ଗାରଦରେ ଗୋଟିଏ ମୋବାଇଲ ରହିବ। ଦୁଇ ଦ୍ୱାରରେ ଅଧିକାରୀ ଓ ସେବାୟତମାନଙ୍କ ପାଇଁ ମୋବାଇଲ ଜମା କରିବାର ଷ୍ଟାଣ୍ଡ ରହିବ। ଅଧିକାରୀ ଓ ସେବାୟତମାନେ ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାରରେ ମୋବାଇଲ ଜମା କରି ଭିତରକୁ ଯାଇପାରିବେ। ସେବାୟତ ଓ ଅଧିକାରୀ ଚାହିଁଲେ କି’ ପ୍ୟାଡ୍‌ ମୋବାଇଲ ଶ୍ରୀମନ୍ଦିର ଭିତରକୁ ନେଇପାରିବେ। ମହାପ୍ରଭୁଙ୍କ ନାଁରେ ଥିବା ଖଣିରେ ବେଆଇନ୍‌ ଖନନକୁ ନେଇ NGT ଦେଇଥିବା ୧୨ କୋଟି ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଉପରେ ଅପିଲ କରିବ ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପକ୍ଷରେ ସେବାୟତଙ୍କ ଶ୍ରୀଜଗନ୍ନାଥ ଆଦର୍ଶ ଗୁରୁକୂଳ ପାଇଁ ବିର୍ଲା ଫାଉଣ୍ଡେସନ ସହ MOU ସ୍ୱାକ୍ଷରିତ କରାଯାଇଛି। ୩୨ ଏକର ଜମି ସୋଶାଇଟିକୁ ଦିଆଯିବ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ନେଇ ୪୦୦୦ ହେକ୍ଟରରୁ ୩୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଛି। ୨ଜଣ ପରିଚାଳନା କମିଟି ସଦସ୍ୟ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ମହାପ୍ରଭୁଙ୍କ ନାମରେ ଥିବା ୧୬୦୦ ଏକର ଜଙ୍ଗଲ କିଶମ ଜମିରେ ରଥ କାଠ ପାଇଁ ବୃକ୍ଷରୋପଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.