ବନ୍ଧା ହେଲେ ନାଇଜେରୀୟ ଠକ

ଭୁବନେଶ୍ୱର : ନାଇଜେରୀୟ ଯୁବକ ପ୍ୟାଟ୍ରିକ୍ ଚିଜୋରୋମ ଓରାଜାକାଙ୍କୁ ୨୮ ଲକ୍ଷ ଟଙ୍କାର ସାଇବର ଠକେଇ ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କୁ ନୂଆଦିଲ୍ଲୀରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି କ୍ରାଇମ୍‌ବ୍ରାଞ୍ଚ। କଟକର ଜଣେ ମହିଳାଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ପ୍ୟାଟ୍ରିକ୍‌ଙ୍କୁ ଗିରଫ କରିଛି। ମହିଳା ଜଣଙ୍କ କଟକରେ ରହନ୍ତି। ସୋଶାଲ୍ ମିଡିଆ ଯୋଗେ ପ୍ୟାଟ୍ରିକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ପ୍ୟାଟ୍ରିକ୍ ନିଜକୁ ନେଦରଲ୍ୟାଣ୍ଡସର ଜଣେ ଡାକ୍ତର (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ) ଭାବେ ପରିଚୟ ଦେଇଥିଲେ। ଇନ୍‌ଷ୍ଟାଗ୍ରାମରେ ମହିଳା ଜଣଙ୍କ ତାଙ୍କୁ ଫଲୋ କରୁଥିଲେ। ତାଙ୍କ ସହିତ ଚାଟ୍ ମଧ୍ୟ କରୁଥିଲେ। ବନ୍ଧୁତା ବଢ଼ିବା ପରେ ମହିଳା ଜଣଙ୍କ ପ୍ୟାଟ୍ରିକଙ୍କୁ ତାଙ୍କ ହ୍ୱାଟ୍‌ସଆପ୍ ନମ୍ବର ଦେଇଥିଲେ। ହ୍ୱାଟ୍‌ସଆପ୍‌ରେ ସେମାନଙ୍କ ମଧ୍ୟରେ ଚାଟିଂ ଚାଲିଥିଲା। କିଛି ଦିନ ପରେ ପ୍ୟାଟ୍ରିକ୍ ତାଙ୍କୁ ଦେଖା କରିବାକୁ ଚାହୁଁଥିବା କହିଥିଲେ। ସେଥିପାଇଁ ସେ ଭାରତ ଆସୁଥିବା କଥା କହିଥିଲେ। ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଲା ଯେ ଯେଉଁ ସବୁ ଆକାଉଣ୍ଟକୁ ମହିଳା ଜଣଙ୍କ ଟଙ୍କା ପଠାଇଛନ୍ତି, ସେଗୁଡ଼ିକରୁ ଅଧିକାଂଶ ଉତ୍ତର ପୂର୍ବ ଭାରତର ଏବଂ ସେଗୁଡ଼ିକୁ ନୂଆଦିଲ୍ଲୀରୁ ପରିଚାଳନା କରାଯାଉଛି। ପରେ ତଦନ୍ତକୁ ଆହୁରି ଆଗକୁ ନେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ନୂଆଦିଲ୍ଲୀ ଯାଇ ପ୍ୟାଟ୍ରିକ୍‌ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ନଗଦ ଟଙ୍କା ଦେବାର ଲୋଭ ଦେଖାଇ ପ୍ୟାଟ୍ରିକ୍ ବହୁ ଲୋକଙ୍କ ଆକାଉଣ୍ଟକୁ ଠକେଇ ପାଇଁ ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି। ପ୍ୟାଟ୍ରିକ୍‌ଙ୍କ ଠାରୁ ୧୬ଟି ଡେବିଟ୍ କାର୍ଡ, ୧୨ଟି ମୋବାଇଲ ଫୋନ୍, ୨୨ଟି ବ୍ୟାଙ୍କ୍ ପାସ୍‌ବୁକ୍‌, ୧୦ଟି ବ୍ୟାଙ୍କ୍‌ ଚେକ୍‌, ୨୦ଟି ସିମ୍ କାର୍ଡ, ଗୋଟିଏ ଲାପ୍‌ଟପ୍, ଗୋଟିଏ ପାସ୍‌ପୋର୍ଟ ଓ ତାଙ୍କ ନାଁରେ ଜାରି ହୋଇଥିବା ଆଧାର ଓ ପାନ୍ କାର୍ଡ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ। ପ୍ୟାଟ୍ରିକ୍‌ଙ୍କ ସହିତ ଆଉ କେଉଁମାନେ ଏହି ଠକେଇରେ ସାମିଲ ହୋଇଥିଲେ, ତାହା ଜାଣିବାକୁ ଅଧିକ ଖୋଳତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ। ଏହା ସହିତ ପ୍ୟାଟ୍ରିକ୍ ଆଉ କେଉଁମାନଙ୍କୁ ଠକିଛି, ସେ ବିଷୟରେ ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ।

Leave A Reply

Your email address will not be published.