ଦୁର୍ଘଟଣାରେ ଯାଇଥିଲା ସ୍ୱାମୀଙ୍କ ଜୀବନ, ୧୮ ବର୍ଷର ସଂଘର୍ଷ ପରେ ମିଳିଲା କ୍ଷତିପୂରଣ

ପୁରୀ : ୧୮ ବର୍ଷ ତଳେ ଉଜୁଡ଼ି ଯାଇଥିଲା ସଂସାର । ଏକ ଦୁର୍ଘଟଣାରେ ଗୁରୁତର ସ୍ୱାମୀ ଆମ୍ବୁଲାନ୍ସରେ କଟକ ଯାଉଥିବା ବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାଣ ହରାଇଥିଲେ। ଆମ୍ବୁଲାନ୍ସର କାଗଜପତ୍ର ଠିକ୍ ନଥିବା ସହ ଡ଼୍ରାଇଭରଙ୍କ ଅସାବଧାନତାକୁ  ଦାୟୀ କରି ପରିବାର ଲୋକେ କ୍ଷତିପୂରଣ ଦାବି କରିଥିବା ବେଳେ ପ୍ରାପ୍ୟ ପାଇବାକୁ ଲାଗିଗଲା ୧୮ ବର୍ଷ। ଦୀର୍ଘ ବର୍ଷର ସଂଘର୍ଷ ପରେ ଶେଷରେ ବିଧବା ପତ୍ନୀ କ୍ଷତିପୂରଣ ବାବଦକୁ ପାଇଛନ୍ତି ୨୨ ଲକ୍ଷ । ଏପରି ଘଟଣା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ହାଟସାହିରେ ଘଟିଛି। ୨୦୦୪ ମସିହାରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ହାଟସାହିର ପର୍ଶୁରାମ ମହାନ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । କଟକ ଅବକାରୀ ବିଭାଗରେ କାର୍ଯ୍ୟରତ ପର୍ଶୁରାମଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ କଟକ ନିଆଯିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇଥିଲା। ଫଳରେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଆଖି ବୁଜିଥିଲେ ପର୍ଶୁରାମ । ଆମ୍ବୁଲାନ୍ସ ଡ଼୍ରାଇଭରଙ୍କ ଅସାବଧାନତା ସହ କାଗଜପତ୍ର ଠିକ୍ ନଥିବାରୁ ପରିବାର ଲୋକେ କ୍ଷତିପୂରଣ ପାଇଁ ଦାବୀ କରିଥିଲେ ।  ଭୁବନେଶ୍ୱର ମୋଟରଯାନ ଟ୍ରିବ୍ୟୁନାଲରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି କୋର୍ଟ ୯ ଲକ୍ଷ ୭୭ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ଷତିପୂରଣ ନଦେବା ଯାଏଁ ୭ ପ୍ରତିଶତ ସୁଧ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ୧୮ ବର୍ଷ କାଳ ମେଡିକାଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ,ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ରାଜ୍ୟପାଳଙ୍କୁ  ଭେଟି କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଗୁହାରି କରିଥିଲେ ମୃତକଙ୍କ ପରିବାର  । ଏହାପରେ ଗତକାଲି ମୃତ ପର୍ଶୁରାମଙ୍କ ପରିବାରକୁ ଅତିରିକ୍ତ ଜିଲ୍ଲାପାଳ ୨୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.