ଝୁଲିଗଲେ ପ୍ରେମିକା, ଡରିଗଲେ ପ୍ରେମିକ

ଯାଜପୁର : ସ୍କୁଲ ଯିବା ବାଟରେ ହୋଇଗଲା ପ୍ରେମ। ୧୦ମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ପ୍ରେମ ଜାଲରେ ପକାଇ ଅନ୍ଧୁଣି ପ୍ରାୟ କରି ଦେଇଥିଲା ପାଖ ଗାଁର ଯୁବକ। ଦୁହେଁ ଏକାଠି ରହିବେ ବୋଲି ବି କଥା ଦେଇଥିଲେ। ହେଲେ ଘରେ ନମାନିବାରୁ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବାଛି ନେଲେ। ହେଲେ ପ୍ରେମିକା ଆତ୍ମହତ୍ୟା ପରେ ନିଜେ ଏଭଳି ପଦକ୍ଷେପ ନେବାକୁ ଆଉ ସାହସ ଜୁଟାଇ ପାରିଲାନି ପ୍ରେମିକ। ପ୍ରେମିକାଙ୍କ ଏଭଳି ଅବସ୍ଥା ଦେଖି ପଛଘୁଞ୍ଚା ଦେଇଦେଲେ। ଏଭଳି ଘଟଣା ଘଟିଛି ଯାଜପୁର ବାଲିଚନ୍ଦ୍ରପୁର ଥାନା ବାଡ଼ବାଲିକୁଦା ଗାଁରେ। ଗାଁରେ ଥିବା ସ୍କୁଲର ପରିତ୍ୟକ୍ତ ଘରୁ ମିଳିଛି ଛାତ୍ରୀଙ୍କ ମୃତଦେହ। ମୃତକ ଜଣକ ଗ୍ରାମର ପଙ୍କଜ ରାଉତଙ୍କ ଝିଅ ସାଇ ସ୍ୱରୂପା ରାଉତ। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅକୁ ସ୍କୁଲ ଯିବା ବାଟରେ ସେହି ଅଞ୍ଚଳର ସାଗର ବିଶ୍ୱାଳ ନାମକ ଯୁବକ ପ୍ରେମ ଜାଲରେ ପକାଇଥିଲା। ମୋବାଇଲ୍‌ରେ କଥାବାର୍ତ୍ତା ହେଉଥିବା ଜାଣିବା ପରେ ସେ ଝିଅକୁ ତାଗିଦ୍ କରିଥିଲେ। ତେବେ ଗତକାଲି ସନ୍ଧ୍ୟାରୁ ଝିଅ ଘରୁ କିଛି ଅଳଙ୍କାର ଓ ୩୦ ହଜାର ଟଙ୍କା ନେଇ ଚାଲି ଯାଇଥିଲେ। ସେପଟେ ଖବର ନେବାରେ ସମ୍ପୃକ୍ତ ଭଲପାଉଥିବା ଯୁବକ ମଧ୍ୟ ଘରୁ ଚାଲି ଯାଇଥିବା ଜାଣିବାକୁ ପାଇଥିଲେ। ବହୁ ସ୍ଥାନ ଖୋଜି ନିରାଶ ହେବା ପରେ ଆଜି ସ୍କୁଲ ଘରୁ ଝିଅର ମୃତଦେହ ମିଳିଛି। ଝିଅର ବେକରେ ରଶି ଲାଗିଥିବା ବେଳେ ସେ ତଳେ ବସିବା ଭଳି ରହିଥିଲା। ବୁଝିବା ବେଳେ ଜଣାପଡ଼ିଥିଲା ଝିଅକୁ କୁମନ୍ତ୍ରଣା କରି ଆଣିଥିବା ଯୁବକ ଏହି ଘଟଣା ନିମନ୍ତେ ଦାୟୀ ବୋଲି ଜଣାପଡ଼ିଛି। ଏହା ଆତ୍ମହତ୍ୟା ନୁହେଁ ହତ୍ୟା, ତେଣୁ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି।

ଆହୁରି ପଢ଼

Umasankar Adv
Leave A Reply

Your email address will not be published.