ବୟକଟ ପାର୍ଟି ପରେ ‘ପଠାନ’କୁ ବିଜେପି ବିଧାୟକଙ୍କ ବିରୋଧ

ମୁମ୍ବାଇ: ମଧ୍ୟପ୍ରଦେଶରରେ କ୍ଷମତାସୀନ ବିଜେପି ସରକାରର ଜଣେ ମନ୍ତ୍ରୀଙ୍କ ସହ ସ୍ୱର ମିଳାଇଛନ୍ତି ମହାରାଷ୍ଟ୍ର ବିଜେପି ବିଧାୟକ ରାମ କଦମ। ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ବିଜେପି ବିଧାୟକ ରାମ କଦମ ଜୋରାଦାର ବିରୋଧ କରିଛନ୍ତି।ଫିଲ୍ମରେ ହିନ୍ଦୁତ୍ୱକୁ ଅପମାନିତ କରାଯାଇଥିବା ଦାବି କରି ଏହାର ରିଲିଜ୍‌କୁ ମହାରାଷ୍ଟ୍ରରେ ଅନୁମତି ମିଳିବ ନାହିଁ ବୋଲି ସେ କହିଛନ୍ତି। ଏଥିସହ ଦୀପିକା ୨୦୨୦ ଜେଏନୟୁ ହିଂସା ବେଳେ ସେଠାକୁ ଯାଇ ନିଜର ସମବେଦନା ଜଣାଇବା ଘଟଣାକୁ ମଧ୍ୟ ସେ ଉଠାଇଛନ୍ତି। ପଠାନ ଫିଲ୍ମର ବେଶରମ ରଙ୍ଗ ଗୀତିରେ ଦୀପିକା ଗେରୁଆ ରଙ୍ଗର ବିକିନି ପିନ୍ଧି ରୋମାନ୍ସ କରୁଥିବାରୁ ଏହାକୁ ପ୍ରଥମେ ସୋଶାଲ ମିଡିଆରେ ବୟକଟ ପାର୍ଟି ଓ ହିନ୍ଦୁ ସଂଗଠନ ବିରୋଧ ଆରମ୍ଭ କରିଥିଲେ। ଏବେ ବୟକଟ ପାର୍ଟିଙ୍କୁ ସମର୍ଥନ କରିଛନ୍ତି ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର ବିଧାୟକ ରାମ କଦମ। ସେ ଟ୍ୱିଟ କରି କହିଛନ୍ତି, “ପଠାନ ଫିଲ୍ମକୁ ଦେଶର ଅନେକ ସାଧୁ, ସନ୍ଥ ମହାତ୍ମାଙ୍କ ସମେତ ସୋଶାଲ ମିଡିଆରେ ଅନେକ ହିନ୍ଦୁ ସଂଗଠନ ତଥା କୋଟି କୋଟି ଲୋକ କଡ଼ା ବିରୋଧ କରୁଛନ୍ତି। ମହାରାଷ୍ଟ୍ରରେ ବର୍ତ୍ତମାନ ହିନ୍ଦୁ ବିଚାରଧାରାର ସରକାର ରହିଛି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସାମ୍ନାକୁ ଆସି ସାଧୁସନ୍ଥମାନେ ଉଠାଉଥିବା ଆପତ୍ତିଜନକ ବିଷୟବସ୍ତୁଗୁଡ଼ିକ ଉପରେ ନିଜର ସ୍ପଷ୍ଟୀକରଣ ଦିଅନ୍ତୁ। ଏହା ସେମାନଙ୍କ ପାଇଁ ଭଲ ହେବ। କିନ୍ତୁ ଏକଥା ବି ସମସ୍ତେ ମନେ ରଖିବା ଦରକାର ଯେ ମହାରାଷ୍ଟ୍ର ଭୂମିରେ ହିନ୍ଦୁତ୍ୱର ଅପମାନ କରୁଥିବା କୌଣସି ଫିଲ୍ମ କିମ୍ବା ସିରିଏଲ ରିଲିଜ୍‌କୁ ଅନୁମତି ମିଳିବ ନାହିଁ। ଜେଏନ୍‌ୟୁ-ଧାରୀ କ’ଣ ଜେନେଉଧାରୀ(ପଇତାଧାରୀ) ବିଚାରଧାରାକୁ ଜାଣିଶୁଣି ଆଘତ ଦେବାକୁ ଦୁଃସାହାସ କରିଛନ୍ତି କି? ଜୟ ଶ୍ରୀରାମ।”

Leave A Reply

Your email address will not be published.