ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବି ଖେଳିବେନି ରୋହିତ ଶର୍ମା!

ଢାକା: ଦିନିକିଆ ସିରିଜ୍‌ ବେଳେ ଆହତ ହୋଇଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳି ନାହାନ୍ତି। ବୁଢ଼ା ଅଙ୍ଗୁଳି ଆହତ ସମସ୍ୟାରେ ପଡ଼ିଥିବା ରୋହିତ ଏଯାଏ ସୁସ୍ଥ ହୋଇ ନାହାନ୍ତି। ତେଣୁ ସେ ଦ୍ୱିତୀୟ ଟେଷ୍ଟ ବେଳକୁ ମଧ୍ୟ ଫିଟ ହେବାର ସମ୍ଭାବନା ନାହିଁ। ରୋହିତଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ପ୍ରଥମ ଟେଷ୍ଟର ନେତୃତ୍ୱ ନେଇଥିଲେ। ଏହି ଟେଷ୍ଟକୁ ଭାରତ ୧୮୮ ରନରେ ଜିତି ୨ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇ ଯାଇଛି। ଏବେ ଡିସେମ୍ବର ୨୪ରୁ ଢାକାରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆରମ୍ଭ ହେବ। ବାଂଲାଦେଶ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ଫିଲ୍ଡିଂ କରିଥିବା ବେଳେ ଆହତ ହୋଇଥିଲେ। ତଥାପି ସେ ଭାରତ କରୁଥିବା ୨୭୨ ରନର ଚେଜ୍‌ ବେଳେ ୯ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଏଥିସହ ୨୮ ବଲରେ ଅପରାଜିତ ୫୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଟାର୍ଗେଟ ଠାରୁ ଦଳ ୬ ରନ ପଛରେ ରହି ଯାଇଥିଲା। ଆହତ ସମସ୍ୟା ଗୁରୁତର ଥିବାରୁ ରୋହିତ ମୁମ୍ବାଇ ଆସିଥିଲେ ଓ ତୃତୀୟ ଦିନିକିଆ ଖେଳି ନଥିଲେ। ବିସିସିଆଇ ଅଭିମନ୍ୟୁ ଈଶ୍ୱରନଙ୍କୁ ରୋହିତଙ୍କ ସ୍ଥାନରେ ସୁଯୋଗ ଦେଇଛି। ହେଲେ ରୋହିତ ଏଯାଏ ମଧ୍ୟ ସୁସ୍ଥ ହୋଇ ନାହାନ୍ତି। ପିଟିଆଇରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ରୋହିତଙ୍କ ବାମ ପଟ ବୁଢ଼ା ଅଙ୍ଗୁଳିରେ ସୃଷ୍ଟି ହୋଇଥିବା ସମସ୍ୟା ଦୂର ହୋଇନି। ଏବେ ବି ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଓ ଆଙ୍ଗୁଠି ଫୁଲିଛି ମଧ୍ୟ। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବେଳକୁ ସେ ଫିଟ ହେବା ଏକ ପ୍ରକାରର ଅସମ୍ଭବ। ଆହତ ସମସ୍ୟା ଯୋଗୁ ସେ ଦ୍ୱିତୀୟ ଟେଷ୍ଟ ପାଇଁ ଢାକା ମଧ୍ୟ ଯାଇ ନାହାନ୍ତି। ତେଣୁ ସେ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.