ହାତୀ କରିଡର ମାମଲା: ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଜିଟିର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଏନଜିଟି ଛାଟ। ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ କଲେ ଏନଜିଟି। ହାତୀ କରିଡର ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସମ୍ପର୍କିତ ମାମଲାରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଆସନ୍ତା ଜାନୁୟାରୀ ୩୦ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଭିତରେ ଉତ୍ତର ରଖିବାକୁ କହିଛନ୍ତି ଏନଜିଟି। ୨୦୨୧ ଅଗଷ୍ଟ ୧୭ରେ ରାଜ୍ୟରେ ଥିବା ୧୪ଟି ହାତୀ କରିଡର ପାଇଁ ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏନଜିଟି। ୨ ମାସ ଭିତରେ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଥିଲେ ମଧ୍ୟ ତାହା ହୋଇ ନ ଥିବା ଏନଜିଟିରେ ଅଭିଯୋଗ ହୋଇଥିଲା। ତେଣୁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଜିଟି ନୋଟିସ୍ ଜାରି କରିଥିବା ଜଣାପଡ଼ିଛି। ସୂଚନା ଥାଉକି, ହାତୀ ମୃତ୍ୟୁକୁ ରୋକିବା ନେଇ ଗୋଟାଏ ପରେ ହାଇକୋର୍ଟରେ ମାମଲା ଚାଲିଥିବା ବେଳେ ଅନ୍ୟପଟେ ଏନ୍‌ଜିଟିରେ ମାମଲା ଚାଲିଛି। ଗତମାସ ୧୬ ତାରିଖରେ ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଥିଲା। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ରାଜ୍ୟର ସମସ୍ତ ହାତୀ କରିଡ଼ରକୁ ଚିହ୍ନଟ କରାଯିବ। ହାତୀ ଚଳ ପ୍ରଚଳ କରୁଥିବା ଅଞ୍ଚଳରେ ଏହି କରିଡ଼ର ଗୁଡ଼ିକୁ ଚିହ୍ନଟ କରାଯାଇ ସ୍ଥାନୀୟ ଜନସାଧାରଣଙ୍କୁ ହାତୀ ସୁରକ୍ଷା ପ୍ରସଙ୍ଗରେ ସଚେତନ କରାଯିବ।  ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନକୁ ଆସନ୍ତା ଡିସେମ୍ବର ସୁଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ଏହି ଆକ୍ସନ ପ୍ଲାନରେ ଥିବା ବିଭିନ୍ନ ପ୍ରସଙ୍ଗକୁ ଡିସେମ୍ବର ସୁଦ୍ଧା ସଫଳ ରୂପାୟନ କରାଯିବ। ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ। ଏ ନେଇ ବିଦ୍ୟୁତ୍ ବିତରଣ କମ୍ପାନୀଙ୍କ ସହ ଆଲୋଚନା ଜାରି ରହିଛି। ରେଳବାଇ ସହ ଆଲୋଚନା କରି ହାତୀ କରିଡ଼ରରେ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ସତ୍ୟପାଠାରେ କୁହାଯାଇଛି। ଏହି ମାମଲାରେ ହାଇକୋର୍ଟଙ୍କୁ ଆସନ୍ତା ଜାନୁଆରୀ ୧୮ ସୁଦ୍ଧା ଆକ୍ସନ ପ୍ଲାନର ରୂପାୟନ ନେଇ ରିପୋର୍ଟ ଦେବ ଜଏଣ୍ଟ ଟାସ୍କ ଫୋର୍ସ।

Leave A Reply

Your email address will not be published.