ସୀମାରେ ଡ୍ରୋନ୍ ଓ ଯୁଦ୍ଧ ବିମାନ ସହ ଜଗିଛି ଚୀନ୍‌

ନୂଆଦିଲ୍ଲୀ: ଚଳ ଚଞ୍ଚଳ ହୋଇଛି ଡ୍ରାଗନବାହିନୀ। ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍‌ର ଯୁଦ୍ଧ ବିମାନ। ଅରୁଣାଚଳପ୍ରଦେଶ ଉପରେ ତୀକ୍ଷ୍ଣ ନଜର ରଖିଛି ଡ୍ରାଗନ। ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ସଂଖ୍ୟା ମଧ୍ୟ ବଢ଼ାଇଛି ଚୀନ୍। ସାଟେଲାଇଟ୍ ଫଟୋରୁ ଚୀନ୍‌ର ଏଭଳି କିଛି ସାଙ୍ଘାତିକ ସତ ସାମ୍ନାକୁ ଆସିଛି। ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚୀନ୍‌ର ପ୍ରାୟ ୩୦୦ ସୈନ୍ୟ ପ୍ରବେଶ କରି ଉକ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲେ। ତେବେ ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ଯବାନ ଆହତ ହୋଇଥିଲେ। ସଂଘର୍ଷ ପରେ ଚାଇନା ସୈନ୍ୟ ଫେରି ଯାଇଥିଲେ ହେଁ ପୁନର୍ବାର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ତିବ୍ବତୀୟ ଏୟାର ବେସ୍‌ଗୁଡ଼ିକରେ ଚାଇନା ବହୁସଂଖ୍ୟାରେ ଡ୍ରୋନ୍ ଏବଂ ଲଢ଼ୁଆ ବିମାନ ଠୁଳ କରିଥିବା ହାଇରିଜଲ୍ୟୁଶନ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି। ପୂର୍ବରୁ ଏହି ସ୍ଥାନରେ କାଁ ଭାଁ ଜେଟ୍ ଦେଖିବାକୁ ମିଳୁଥିଲା। କିନ୍ତୁ ତୱାଙ୍ଗ ବିବାଦ ପରେ ଯୁଦ୍ଧ ବିମାନ ଏବଂ ଡ୍ରୋନ ସଂଖ୍ୟା ବଢ଼ିଥିବା ନେଇ ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଚୀନ ଏହାର ବାଙ୍ଗଦା ବିମାନ ଘାଟିରେ ସୋରିଙ୍ଗ ଡ୍ରାଗନ ଡ୍ରୋନ ମୁତୟନ କରିଛି। ବାଙ୍ଗଦା ବିମାନ ଘାଟି ଅରୁଣାଚଳ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି। ଚୀନର ଏଭଳି କାର୍ଯ୍ୟଦେଖି ଭାରତୀୟ ବାୟୁସେନା ଲଗାତର ଦୁଇଦିନ ଧରି ଯୁଦ୍ଧାଭ୍ୟାସ କରୁଥିବାର ଜଣାପଡ଼ିଛି।ଗତ ନଭେମ୍ବର ୨୭ରେ ଚାଇନା ଶିଗାତ୍‌ସେ ଏୟାରପୋର୍ଟରେ ୧୦ଟି ଫ୍ଲାଙ୍କର ଟାଇପ୍ ଯୁଦ୍ଧବିମାନ ସହ କେଜି-୫୦୦ ଏୟାରକ୍ରାଫ୍ଟ ଏବଂ ୭ଟି ଡ୍ରୋନ୍ ମୁତୟନ କରିଥିଲା। ବାଙ୍ଗଦା ଏୟାରବେସ୍ ଫ୍ଲାଇଟ୍‌ଲାଇନରେ ଦୁଇଟି ଫ୍ଲାଙ୍କର ଟାଇପ୍ ଯୁଦ୍ଧବିମାନ ରହିଥିବା ଡିସେମ୍ବର ୧୪ର ସାଟେଲାଇଟ୍ ଫଟୋରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.