୩ ବର୍ଷ ହେଲା ପଡ଼ିରହିଛି ଅନୁଦାନ, ଫେରିଯିବ ୩.୭୭ କୋଟି !

ବ୍ୟାସନଗର:  ବ୍ୟାସନଗରର ବିକାଶ ବାଟହୁଡ଼ିଛି। ୩ ବର୍ଷ ହେଲାଣି ସ୍ମାର୍ଟ ପାର୍କ, ଶ୍ମଶାନ ଓ ପୋଖରୀ ପାଇଁ ୩ କୋଟି ୭୭ଲକ୍ଷ ଟଙ୍କା ମଞ୍ଜୁର ହୋଇ ପଡ଼ିରହିଛି। କାର୍ଯ୍ୟ ହେବା ତ ଦୂର ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ କରିବାରେ ପ୍ରଶାସନ ଅସମର୍ଥ ହୋଇଛି। ଫଳସ୍ବରୂପ ମାସକ ମଧ୍ୟରେ ଏହି ଅର୍ଥ ଫେରିଯିବାକୁ ବସିଛି। ତଥାପି ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପାଇଁ ତତ୍ପରତା ପ୍ରକାଶ ନପାଇବା ଚିନ୍ତାଜନକ ବୋଲି ସହରବାସୀ କହିଛନ୍ତି। ଆସନ୍ତା ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ ନକଲେ ଅନୁଦାନ ଫେରିଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସ୍ମାର୍ଟ ପାର୍କ ପାଇଁ ୨ କୋଟି ଟଙ୍କା, ସ୍ମାର୍ଟ ଶ୍ମଶାନ ପାଇଁ ୧ କୋଟି ଟଙ୍କା ଓ ଦଳା ପୋଖରୀ ଉନ୍ନତୀକରଣ କରିବା ବାବଦରେ ୭୭ ଲକ୍ଷ ଟଙ୍କା ମଞ୍ଜୁର ହୋଇ ପଡ଼ିରହିଛି। ୩ ବର୍ଷ ହେଲାଣି ପାର୍କ ଓ ଶ୍ମଶାନ ପାଇଁ ଜାଗା ଚିହ୍ନଟ ହୋଇ ପାରିନାହିଁ। ସ୍ମାର୍ଟ ପାର୍କ କରିବା ପାଇଁ କେତେବେଳେ ମହିଳା ମହାବିଦ୍ୟାଳୟ ନିକଟରେ ତ ପୁଣି ଅନ୍ୟ ଜାଗାରେ କରିବା ଲାଗି ଆଲୋଚନା ହେଉଛି। ନିଷ୍ପତ୍ତି ହୋଇପାରୁନାହିଁ। ସେହିଭଳି ସ୍ମାର୍ଟ ଶ୍ମଶାନ ଚାନ୍ଦମା ପଡ଼ିଆ କି ଯୋଡ଼ାବର ଏମ୍‌ସିସି ପ୍ଲାଣ୍ଟ ନିକଟରେ ହେବ, ତାହା ବି ସ୍ଥିର ହୋଇପାରୁନି। ଜାଗା ସ୍ଥିର ହେଉନାହିଁ କି ଟେଣ୍ଡର ମଧ୍ୟ କରାଯାଇ ପାରିନାହିଁ। ବିଡ଼ମ୍ବନା ହେଉଛି ନିର୍ବାଚିତ ପ୍ରତିନିଧି ହୁଅନ୍ତୁ ଅଥବା ଜନପ୍ରତିନିଧି କିମ୍ବା ଉଭୟ ପ୍ରଶାସନ ଓ ନିର୍ବାଚିତ ପୌରପରିଷଦ; ପୌରପାଳିକା ଦାୟିତ୍ବରେ ଯିଏ ରହିଲେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟ ଆଗଉ ନାହିଁ। ପ୍ରାଶାସନିକ ଅଧିକାରୀ ସାଢ଼େ ତିନିବର୍ଷ ଦାୟିତ୍ଵରେ ଥିଲେ। ଇତିମଧ୍ୟରେ ନୂତନ ପୌର ପରିଷଦ ଗଠନକୁ ୧୦ ମାସ ପୂରିବ ତଥାପି ଜାଗା ଚିହ୍ନଟ ହୋଇ ପାରୁନାହିଁ। ସହରରେ ଉନ୍ନୟନ କାର୍ଯ୍ୟ ପାଇଁ ସରକାରୀ ଅନୁଦାନ ଖର୍ଚ୍ଚ ହୋଇନପାରି ପଡ଼ିରହିଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ନଭେମ୍ବର ୨୩ ତାରିଖ ୧୨ ଗୋଟି ପୌରସଂସ୍ଥାକୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ, ସଚିବ ପ୍ରଭୃତି ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ସରକାରଙ୍କ ଲୋକାଭିମୁଖି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏଯାଏ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇଥିବାର ଖବର ମିଳିଛି।

Leave A Reply

Your email address will not be published.