ମିଳିଲା ଗୋବିନ୍ଦଙ୍କ ହାତଲେଖା ନୋଟ୍‌, ମୁହଁ ଖୋଲୁନାହିଁ କ୍ରାଇମବ୍ରାଞ୍ଚ

କଟକ/ବଲାଙ୍ଗୀର/କଣ୍ଟାବାଞ୍ଜି : ‌ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌ କଣ୍ଟାବାଞ୍ଜି ଉପକାରାଗାର ପରିସରରୁ ୧୬ଟି ସିସି ଫୁଟେଜ୍‌ ଜବତ କରିଛନ୍ତି। ଗୋବିନ୍ଦ ରହୁଥିବା ୱାର୍ଡରୁ ଏକାଧିକ କାଗଜପତ୍ର ବି ଜବତ କରାଯାଇଛି। ତନ୍ମଧ୍ୟରେ କିଛି ହାତ‌ଲେଖା କାଗଜ ରହିଛି। ଏଥିରେ ଗୋବିନ୍ଦ କ’ଣ ଲେଖିଛି, ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନାହିଁ। କ୍ରାଇମବ୍ରାଞ୍ଚ ଟିମ୍‌ ଗୁରୁବାର ଦିନ ଗୋବିନ୍ଦ ରହୁଥିବା ରହୁଥିବା ୱାର୍ଡ ନମ୍ବର-୧ରେ ଟିକିନିଖି ଯାଞ୍ଚ୍‌ କରିଥିଲେ। ଗୋବିନ୍ଦ ଆତ୍ମହତ୍ୟା କରିବା ପରେ ଜେଲ୍‌ କର୍ତ୍ତୃପକ୍ଷ ଏହି ୱାର୍ଡକୁ ସିଲ୍‌ କରି ଦେଇଥିଲେ। କ୍ରାଇମବ୍ରାଞ୍ଚ ଟିମ୍‌ ଏହି ୱାର୍ଡକୁ ଖୋଲିବା ସହିତ ସେଠାରୁ ଏକାଧିକ କାଗଜପତ୍ର ଜବତ କରିଥିଲେ। ସିନ୍ଧେକେଲା ଥାନାର ଏତଲା ନକଲ(କେସ୍ ନଂ ୯୭/୨୦୨୧) ଓ ଫାଇନାଲ୍ ଫର୍ମ ବି ଜବତ କରିଥିଲେ। ଏଥିସହିତ, ଦୈନିକ ଔଷଧ ବାବଦ ପଞ୍ଜୀକରଣ ଖାତା, ବିଚାରାଧୀନ କଏଦୀ ଭାବେ ଗୋବିନ୍ଦର ବ୍ୟକ୍ତିଗତ ଫାଇଲ୍ ଇତ୍ୟାଦି ବି ଜବତ କରିଥିଲେ। ଏଥିସହିତ, ଜେଲ୍‌ ପରିସରରେ ଲାଗିଥିବା ୧୬ଟି ସିସି କ୍ୟାମେରା ଫୁଟେଜକୁ ବି ଜବତ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍‌। ଜବତ ସିସି କ୍ୟାମେରାରେ ମଙ୍ଗଳବାର ସକାଳେ ଗୋବିନ୍ଦ ଓ୍ୱାର୍ଡରୁ ଆତ୍ମହତ୍ୟା କରିବାକୁ ଯାଇଥିବା ଅଞ୍ଚଳକୁ ଯିବା ସମୟର ଦୃଶ୍ୟ ରହିଥିବା କୁହାଯାଉଛି। ଜେଲ୍‌ର ଲ୍ୟାଣ୍ଡ୍‌ଫୋନକୁ ବି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ପରିସରଭୁକ୍ତ କରିଛି। ଏଥିରେ ଗୋବିନ୍ଦ ଘଟଣା ଘଟିବା ପୂର୍ବରୁ କାହା ସହିତ କଥା ହୋଇଥିଲା କି ନାହିଁ, ଯଦି କଥା ହୋଇଥିଲା, ତେବେ କ’ଣ କଥା ହୋଇଥିଲା, ସେ ନେଇ ବିଏସଏନଏଲ୍ ସର୍ଭିସ ପ୍ରୋଭାଇଡରର ସହଯୋଗ ଲୋଡ଼ିଛି କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.