ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଜେଲ୍‌ ଭିତରେ ରହସ୍ୟଜନକ ମୃତ୍ୟୁ ହେବା ପରେ ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ବିଜେପି ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ନେଇ ପ୍ରଶ୍ନ ଉଠାଇଥିବା ‌‌ବେଳେ କଂଗ୍ରେସ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଏସ୍‌ଆଇଟି ତଦନ୍ତ ଦାବି କରିଛି। ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମମିତା ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି। ତଦନ୍ତର ସ୍ବଚ୍ଛତା ପାଇଁ ନି‌ରପେକ୍ଷ ତଦନ୍ତ କରାଯିବା ଆବଶ୍ୟକ ବୋଲି ଟୁଇଟ୍ କରିଛନ୍ତି। ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି ଯେ ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ଭଳି ଏକ ସମ୍ବେଦନଶୀଳ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ମୃତ୍ୟୁବରଣ କରିବା ଓ ଡିଏନ୍‌ଏ ପରୀକ୍ଷାରେ ଅସାମଞ୍ଜସ୍ୟ ଦେଖାଯିବା; ସନ୍ଦେହ ତିଆରି କରିବା ସହ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ପୁଲିସ ଓ ଜେଲ୍‌ ବିଭାଗର ପ୍ରମୁଖ ଅଧିକାରୀମାନେ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ନେଇ ଠିକ୍ ଉତ୍ତର ରଖିବା ଦରକାର। ଏହି ଘଟଣାରେ ଶାସନ ବ୍ୟବସ୍ଥାରେ ଥିବା ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଉତ୍ତର ରଖିବା ଦରକାର। ପ୍ରଜାତନ୍ତ୍ରରେ ଉତ୍ତରଦାୟିତ୍ୱର ମହତ୍ତ୍ବ ରହିଛି। ସ୍ୱଚ୍ଛତା ପାଇଁ ନିରପେକ୍ଷ ତଦନ୍ତ କରାଯାଉ।ସେହିପରି ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଗୁରୁବାର ଦିନ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧି ଦଳ। ରାଜ୍ୟପାଳ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଉଚ୍ଚ ନ୍ୟାୟାଳୟର ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦେଶ ଦେବାକୁ ଦାବି କରିଛି। ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ଯେ ମମିତା ମୃତ୍ୟୁର ପ୍ରତ୍ୟେକଟି ଘଟଣାରେ ଗୋବିନ୍ଦ ସାହୁଙ୍କ ସଂପୃକ୍ତିକୁ ନେଇ ପୁଲିସ ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିବାର ଗୋଟିଏ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିବା ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣି ନେଇଛି। ମମିତା ହତ୍ୟା ଘଟଣାର ପୁନର୍ବାର ତଦନ୍ତ ପାଇଁ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ବିଧାୟକ ସନ୍ତୋଷ ସିଂହ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସମେତ ଶିବାନନ୍ଦ ରାୟ, ଗଣେଶ୍ବର ବେହେରା, ଲଲାଟେନ୍ଦୁ ମହାପାତ୍ର ଓ ଦୀପକ ମହାପାତ୍ର ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଥିଲେ।

Leave A Reply

Your email address will not be published.