ବିଏସକେୱାଇ: ଚଳିତବର୍ଷ ୬.୩୧ଲକ୍ଷ ଲୋକଙ୍କୁ ଘରୋଇ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ଚଳିତବର୍ଷ ରାଜ୍ୟର ୬.୩୧ ଲକ୍ଷ ଲୋକ(ହିତାଧିକାରୀ) ଘରୋଇ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇଛନ୍ତି । ଏବାବଦରେ ଘରୋଇ ହସ୍ପିଟାଲଗୁଡ଼ିକୁ ରାଜ୍ୟ ସରକାର ପ୍ରାୟ ୧୩୮୯କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଓଡ଼ିଶା ହେଲଥ ଆସ୍ୟୁରାନ୍ସ ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି. ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଚଳିତବର୍ଷ ଜାନୁୟାରୀ ୧ରୁ ଡିସେମ୍ବର ୨୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ମୋଟ ୬.୩୧ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ସୁବିଧା ପାଇଛନ୍ତି । ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ୧୩୮୯କୋଟି ଟଙ୍କା ବିଲ୍ ପୈଠ କରିଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଲୋକଙ୍କୁ ଏହି ଚିକିତ୍ସା ସୁବିଧା ମିଳିଛି । ଚିକିତ୍ସା ପାଇଁ ଆସିଥିବା ଶତପ୍ରତିଶତ ରୋଗୀଙ୍କୁ ୧୦୪ କଲସେଂଟର ମାଧ୍ୟମରେ କାଉନସେଲିଂ ମଧ୍ୟ କରାଯାଇଛି । ସେମାନଙ୍କ ପସନ୍ଦର ଘରୋଇ ହସ୍ପିଟାଲରେ ସେମାନେ ଚିକିତ୍ସିତ ମଧ୍ୟ ହୋଇଛନ୍ତି । ବିଭିନ୍ନ ହସ୍ପିଟାଲରେ ନିୟୋଜିତ ଥିବା ସ୍ୱାସ୍ଥ୍ୟମିତ୍ରମାନେ ମଧ୍ୟ ସେମାନଙ୍କର ଆଡମିଶନ ଓ ଚିକିତ୍ସା ପାଇଁ ନିଜେ ଉପସ୍ଥିତ ରହିବ ଡାକ୍ତରମାନଙ୍କ ସହ ଯୋଗାଯୋଗ ଓ ଆବଶ୍ୟକୀୟ ପ୍ରକ୍ରିୟାଗତ ସହାୟତା କରିଛନ୍ତି । ଏବେସୁଦ୍ଧା ବିଏସକେୱାଇ ଯୋଜନାରେ ମୋଟ ୨୦୫୬ଟି ଚିକିତ୍ସା ଓ ନିଦାନ ପ୍ୟାକେଜ୍ ରହିଛି। ବିଏସକେୱାଇ ଯୋଜନାରେ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ଓ ଏଥିରୁ ସୁବିଧା ନେବା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.