ଦୁବାଇ,ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ଉଡ଼ିବ ବିମାନ: ଖର୍ଚ୍ଚ ତୁଲାଇବେ ସରକାର

ଭୁବନେଶ୍ୱର : ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁର ଭଳି ଆନ୍ତର୍ଜାତିକ ସହରକୁ ଭୁବନେଶ୍ୱରରୁ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ଇଣ୍ଡିଗୋ ଏୟାରଲାଇନ୍ସକୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ । ଆନ୍ତର୍ଜାତିକ ସହରକୁ ଭୁବନେଶ୍ୱରରୁ ସିଧାସଳଖ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଡାକିଥିବା ଟେଣ୍ଡରରେ ଇଣ୍ଡିଗୋ ଏୟାରଲାଇନ୍ସ ଭାଗ ନେଇ ଆଗ୍ରହ ପ୍ରକାଶ କରିଥିଲା । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ପଦ, ବୈଷୟିକ ଜ୍ଞାନକୌଶଳ, ଇତିହାସ ଓ ସଂସ୍କୃତି, ପର୍ଯ୍ୟଟନକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଆନ୍ତର୍ଜାତିକ ବିମାନ ଚଳାଚଳର ଆବଶ୍ୟକତା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରରୁ ସିଧାସଳଖ ଦୁବାଇ,ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଚଳାଚଳ ନିମନ୍ତେ ଟେଣ୍ଡର ଡକାଯାଇଥିଲା । ଏହି ରୁଟରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଆବେଦନ କରିଛି । ଫଳରେ ସପ୍ତାହକୁ ୧୮୬ ସିଟ୍ ବିଶିଷ୍ଟ ଯଥାକ୍ରମେ ୩ଟି ଓ ୨ଟି ବିମାନ ଭୁବନେଶ୍ୱରରୁ ଚଳାଚଳ ଆରମ୍ଭ କରିବ । ଏଥିପାଇଁ ରାଜ୍ୟ ସରକାର ବିମାନ ଚଳାଚଳର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ଫଳରେ ଇଣ୍ଡିଗୋକୁ ବିମାନର ସମସ୍ତ ଟିକେଟ୍ ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ମିଳିବ । ଯାହା ଆନ୍ତର୍ଜାତିକ ବିମାନ ଚଳାଚଳକୁ ସୁଗମ କରିବ । ତେବେ କେବେଠୁ ଏହି ବିମାନ ଚଳାଚଳ ହେବ ତାହା ଜଣାପଡ଼ିନି ।

Leave A Reply

Your email address will not be published.