୧୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ଗ୍ରାଣ୍ଟ ଇନ୍ ଏଡ୍ ସ୍କୁଲକୁ ସପ୍ତମ ବେତନ ହାରରେ ଦରମା

ଭୁବନେଶ୍ୱର : ୨୦୨୧ ଡିସେମ୍ବର ୩୧ସୁଦ୍ଧା ଶତପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ (ଅନୁଦାନ) ପାଉଥିବା ସମସ୍ତ ବେସରକାରୀ ହାଇସ୍କୁଲ, ମଇ ସ୍କୁଲ ଓ ମାଦ୍ରାସାର ଶିକ୍ଷକ ଓ କର୍ମଚାରୀମାନେ ଏଣିକି ସପ୍ତମ ବେତନ ହାରରେ ଦରମା ପାଇବେ । ୨୦୨୨ ଜାନୁୟାରୀ ପହିଲାରୁ ଏହି ବର୍ଦ୍ଧିତ ଦରମା ସେମାନଙ୍କୁ ମିଳିବ । ଏଥିରେ ପ୍ରାୟ ୨୬୧୬୪ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ ତଥା ରାଜକୋଷରୁ ବାର୍ଷିକ ୨୮୦.୪୮କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବ ସମେତ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟର ଶତପ୍ରତିଶତ ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ମଇ ସ୍କୁଲ ଓ ମଦ୍ରାସାରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ସଂଶୋଧିତ ବେତନ ନିୟମ-୨୦୧୭(ସପ୍ତମ ବେତନ ହାରରେ) ଦରମା ପ୍ରଦାନ କରାଯିବ । ପୂର୍ବରୁ ସେମାନଙ୍କୁ ୨୦୨୦ ମସିହାରେ ୨୦୧୮ ମସିହାର ଫର୍ମୂଲା ଆଧାରରେ ଦରମା ପ୍ରଦାନ କରାଯାଉଥିଲା । କିନ୍ତୁ ଏବେ ୨୦୨୨ ଜାନୁୟାରୀ ପହିଲାକୁ ଆଧାର କରି ସଂଶୋଧିତ ଦରମା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ମୋଟ ୨୬୧୬୪ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୧ ଡିସେମ୍ବର ୩୧ତାରିଖ ସୁଦ୍ଧା ୧୦୦ ପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ ପାଉଥିବା ସ୍କୁଲଗୁଡ଼ିକ ଏହି ସଂଶୋଧିତ ଦରମା ପାଇବାକୁ ଯୋଗ୍ୟ ହେବେ । ସେହିପରି ମହିଳାଙ୍କୁ ଛତୁ, ଫୁଲ, ଆଳୁ, ପନିପରିବା ଓ ମସଲା ଆଦି ଚାଷ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ସରକାର ଗୋଟିଏ ୫ବର୍ଷିଆ ଓ ଗୋଟିଏ ୩ବର୍ଷିଆ ଯୋଜନାରେ ମୋଟ ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

Leave A Reply

Your email address will not be published.