ଠିକା ଓ ଡେପୁଟେସନ ଭରସାରେ ଆଇଟି ବିଭାଗ: ସ୍ୱତନ୍ତ୍ର ସଚିବ ହେବେ ମାନସ ରଞ୍ଜନ ପଣ୍ଡା

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଆଇଟି ବିଭାଗ ଏବେ ଠିକା ଓ ଡେପୁଟେସନରେ ଆସୁଥିବା ଅଫିସରମାନଙ୍କ ଭରସାରେ ଚାଲିବ । ଆଇଟି ବିଭାଗର ପ୍ରମୁଖ ସଚିବ ପଦବୀକୁ ଚୁକ୍ତିଭିତ୍ତିରେ ବା ଠିକାରେ ପୂରଣ କରିବା ପରେ ଏବେ ସ୍ୱତନ୍ତ୍ର ସଚିବ ପଦବୀକୁ ଡେପୁଟେସନରେ ଆଣି ପୂରଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଆଇଟି ବିଭାଗର ଠିକା ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କ ନିଯୁକ୍ତି ପରେ ଭୁବନେଶ୍ୱରସ୍ଥିତ ଏସଟିପିଆଇରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ମାନସ ରଞ୍ଜନ ପଣ୍ଡା ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଡେପୁଟେସନରେ ଆସିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ଏସଟିପିଆଇ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଆସନ୍ତା ୫ତାରିଖରେ ଓଡ଼ିଶା ସରକାରଙ୍କ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଯୋଗ ଦେବେ । ସେ ଡେପୁଟେସନରେ ଆସି ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ସମେତ ଓକାକ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ରହିବେ । ଏହାସହିତ ସେ ଆଇଟି ପ୍ରମୋସନ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି । ରାଜ୍ୟ ସରକାର ତାଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସରଙ୍କ ଭଳି ଦରମା,ଭତ୍ତା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦେବେ । ଶ୍ରୀ ପଣ୍ଡା ଏବେ ଓଡ଼ିଶା ସରକାରଙ୍କ ଆଇଟି ବିଭାଗର ଯେଉଁ କିଛି ଅଫିସରଙ୍କ ଅନୁମତି ନେଇ ଆଇଟି ପ୍ରମୋସନରେ ରାଜ୍ୟ ସରକାରଙ୍କୁ ସହଯୋଗ କରୁଛନ୍ତି ସେହି ଅଫିସରମାନଙ୍କ ବରିଷ୍ଠ ଅଫିସର ଭାବେ ଶ୍ରୀ ପଣ୍ଡା କାର୍ଯ୍ୟ କରିବେ । ଯାହାକୁ ନେଇ ଆଇଟି ବିଭାଗରେ ଏବେଠୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.